Odisha Link
Bridging the Missing Links in Odisha

ମୋଦୀ ନୁହେଁ, ଯୋଗୀଙ୍କୁ ନେଇ ହେବ ଉତ୍ତର ପ୍ରଦେଶ ନିର୍ବାଚନ

ନୂଆଦିଲ୍ଲୀ: ୨୦୨୨ରେ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହାର ବର୍ଷକ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଜେପି ଆରମ୍ଭ କରିସାରିଛି ଅଙ୍କକଷା। ଅନ୍ୟପଟେ ଉତ୍ତରପ୍ରଦେଶରେ ଆରଏସଏସ୍‌ ଓ ବିଜେପି ନେତାଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ବୈଠକ ହେବାରେ ଲାଗିଛି। ଏବେଠୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ। ନିର୍ବାଚନ ଆହୁରି ବର୍ଷେ ଥିଲେ ସୁଦ୍ଧା ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଲାଗି ରହିଛି ରାଜନୈତିକ ଚର୍ଚ୍ଚା। ଉତ୍ତରପ୍ରଦେଶ ରାଜନୀତିରେ ଲାଗିରହିଛି ହଟଚମଟ। ରାଜ୍ୟର ରାଜନୈତିକ ସର୍କଲରେ ସଂଗଠନର ପରିବର୍ତ୍ତନ ଏବଂ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ ନିରନ୍ତର ଆଲୋଚନା ହେଉଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ଶାହଙ୍କ ସାକ୍ଷାତ କରିଥିବାବେଳେ ଆଜି ପିଏମ୍‌ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ପହଁଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ। ଯାହାକୁ ନେଇ ଉତ୍ତରପ୍ରଦେଶଠୁ ଆରମ୍ଭ କରି ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି।

ଆଉ କିଛି ସମୟ ପରେ ଯୋଗୀ ପିଏମ୍‌ ମୋଦୀଙ୍କୁ ସାକ୍ଷାତ କରିବେ। ଏଥିପାଇଁ ଯୋଗୀ ଯାତ୍ରା ଆରମ୍ଭ କରି ସାରିଛନ୍ତି। ମୋଦୀ ଓ ଯୋଗୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ୟୁମି ସମତେ ସାରା ଦେଶର ନଜର ରହିଛି। ଏହି ବୈଠକ ପରେ ୟୁପି ରାଜନୀତିରେ ଆଗକୁ କ’ଣ ହେବ ତାହା ସ୍ପଷ୍ଟ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଲଢ଼ିବ। ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଆରଏସ୍‌ଏସ୍‌ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟୁପି ଓ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ଚେହେରା ହେବେନାହିଁ। ସଂଘ ଅନୁସାରେ ଆଞ୍ଚଳିକ ନେତାମାନଙ୍କ ବଦଳରେ ମୋଦୀଙ୍କ ଚେହେରାକୁ ସାମ୍ନାରେ ରଖିବାରୁ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଛି।

ଅନ୍ୟପଟେ ନିକଟରେ ଉତ୍ତରପ୍ରଦେଶ କ୍ୟାବିନେଟ ଅଦଳବଦଳ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ହେଲେ ସେଥିରେ ବିରାମ ଲାଗିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ବିଜେପିର ବରିଷ୍ଠ ନେତା ମାନେ ନିର୍ବାଚନ ପୂର୍ବରୁ ପରିବର୍ତ୍ତନ କଲେ ଆଗାମୀ ନିର୍ବାଚନ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହୋଇପାରେ। ଦଳକୁ ବହୁ କ୍ଷତି ମଧ୍ୟ ହୋଇପାରେ। ତେଣୁ କାର୍ଯକାଳର ଶେଷ ବର୍ଷରେ ଦଳରେ କିଛି ବିବାଦ ନ ହେଉ ୟୁପି ବିଜେପିର ବରିଷ୍ଠ ନେତା ମାନେ ମତ ରଖିଥିଲେ ବୋଲି ସୂଚନା ରହିଛି। ଯୋଗୀ ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କରୋନା ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ। ଦିଲ୍ଲୀରେ ବିଏଲ ସନ୍ତୋଷ ପହଁଞ୍ଚିବା ପରେ ଟ୍ବିଟ୍‌ କରିଛନ୍ତି ଯେ, ୟୁପିରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ଯୋଗୀଙ୍କ କୋଭିଡ ମ୍ୟାନେଜମଣ୍ଟ ପାଇଁ ଏସବୁ ସମ୍ଭବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.