Odisha Link
Bridging the Missing Links in Odisha

କେନ୍ଦ୍ର କ୍ୟାବିନେଟର ହୋଇପାରେ ନବକଳେବର, ଚର୍ଚ୍ଚାରେ ନୂଆ ଚେହେରା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଲାଗି ରହିଛି ଚର୍ଚ୍ଚା। କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ଅଦଳବଦଳ ହେବାକୁ ଯାଉଛି। ଯେଉଁଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପିଏମ୍‌ ମୋଦୀ ନିଜେ ଏଥର ସବୁ ବିଭାଗର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଆଗାମୀ କିଛିଦିନ ଭିତରେ କେନ୍ଦ୍ର କ୍ୟାବିନେଟର ନବକଳେବର ହୋଇ ପାରେ। ୫ ଦିନ ଧରି ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୈଠକରେ ସାମିଲ ରହୁଛନ୍ତି।

ମିଳିଥିବା ସୂଚନା ମୁତାବିକ, ବିଗତ ୪ ଦିନ ଧରି ପିଏମ୍ ମୋଦୀ ସମସ୍ତ ମନ୍ତ୍ରଣାଳୟ ଦ୍ବାରା ହୋଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ଏଯାବତ ପାଖାପାଖି ୨୦ରୁ ଅଧିକ ମନ୍ତ୍ରୀଙ୍କର କାମର ସମୀକ୍ଷା କରିସାରିଛନ୍ତି। ଖୁବଶୀଘ୍ର ବାକି ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ନରେନ୍ଦ୍ର ମୋଦୀ ସରକାରର ଦ୍ୱିତୀୟ ଇନିଂସକୁ ଦୁଇ ବର୍ଷ ପୂରଣ ହୋଇସାରିଛି। ଏଥିସହ ଅନେକ ମନ୍ତ୍ରୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିବାଦରେ ରହିଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କ ପାଖରେ ୪-୫ଟି ବିଭାଗ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନୂଆ ଚେହେରାକୁ ସାମିଲ କରି ସରକାରକୁ ଆଉ ଟିକିଏ ମଜବୁତ କରିବାକୁ ଚେଷ୍ଟା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଗତବର୍ଷ କୋଭିଡ୧୯ ପାଇଁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇ ପାରିନଥିଲା। ଚଳିତବର୍ଷ ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ବିତୀୟ ବର୍ଷ ପୂରଣ ହୋଇଛି। ଏବେ ଏହି ଟିମକୁ ସଂପ୍ରସାରଣ କରିବାକୁ ଜୋର ଦେଉଛନ୍ତି ମୋଦୀ ଏବଂ ଅମିତ ଶାହ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ।

ଜାତୀୟ ଗଣମାଧ୍ୟମ ସଂସ୍ଥା ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୋଦୀ କ୍ୟାବିନେଟ ଅଦଳବଦଳ କରିବା ବେଳେ କିଛି ନୂଆ ଚେହେରାଙ୍କୁ ସାମିଲ କରି ପାରନ୍ତି। ରିପୋର୍ଟ ମୁତାବିକ କିଛି ନେତାଙ୍କୁ ରାଜ୍ୟସଭା ପଠାଇ ମନ୍ତ୍ରୀ ପଦ ଦେବାକୁ ଯୋଜନା କରୁଛନ୍ତି ପିଏମ ମୋଦୀ। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲା, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ତାପୂର୍ବରଉ ଅନୁପ୍ରିୟା ପଟେଲଙ୍କୁ ମୋଦୀଙ୍କ କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.