Odisha Link
Bridging the Missing Links in Odisha

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି ମହାପାତ୍ର ନା ରାଧାରମଣ ରାୟ?

ମାଗୁଣି ମହାପାତ୍ର ନା ରାଧାରମଣ ରାୟ, କିଏ ଏ ଗୀତକୁ ଲେଖିଥିଲେ ବୋଲି ଚର୍ଚ୍ଚା ମଝିରେ ଏହା ସ୍ପଷ୍ଟ ଯେ ଏ ଲୋକଗୀତ ଆମ ମୌଖିକ ପରମ୍ପରାରେ ଶହଶହ ବର୍ଷ ଧରି ରହିଥିଲା। ଏହାକୁ ରାଧାରମଣ ସଂଗ୍ରହ କରି ସାମାନ୍ୟ ଆଧୁନିକତାର ପ୍ରଲେପ ଦେଇଛନ୍ତି କେବଳ।

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି “ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।”

ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ ଆସିଛି। ୧୯୫୨ ମସିହାରେ ନୟାଗଡ଼ର ଜଣେ କବି ମାଗୁଣି) ମହାପାତ୍ର ରଜଦୋଳି ଗୀତ ନାମରେ ଏକ ଆଠପୃଷ୍ଠାର ଚଟି ଗୀତ ବହି ରଚନା କରିଥିଲେ। (ମାଗୁଣୀ ବୋଲି ବହିରେ ଉଲ୍ଲେଖ ଅଛି) ତେବେ ଅନୁସନ୍ଧାନରୁ ଜଣାଯାଏ ବହିଟି ସେନିଜେ ଲେଖିନାହାନ୍ତି। ଲୋକମୁଖରେ ଶହଶହ ବର୍ଷ ଧରି ପ୍ରଚଳିତ ଏ ଲୋକଗୀତରେ କିଛି ଆଧୁନିକ ଧାଡ଼ି ମିଶାଇ ରାଧାରମଣ ରାୟ ପ୍ରଥମେ ଏହାକୁ ରେକର୍ଡ କରିଥିଲେ। ତେବେ ଆଜକୁ ପ୍ରାୟ ୭୦ ବର୍ଷ ତଳେ ଯେ ମାଗୁଣି ମହାପାତ୍ର ସେହି ରେକର୍ଡରୁ ରଜଦୋଳି ଗୀତବହିଟିଏ ରଚନା କରିଥିଲେ।

କବି ଶ୍ୟାମସୁନ୍ଦର ଦାସଙ୍କ ରଚିତ ନାଟକ ‘ପହିଲି ରଜ’ (୧୯୪୯)ରେ ମଧ୍ୟ ଏହି ଭଳି ଆଉ ଏକ ଗୀତ ରହିଛି। ତେବେ ତାହା ମାଗୁଣିଙ୍କ ବହିର ପାଠ ଠାରୁ ଭିନ୍ନ।

ନିଜ ଅଞ୍ଚଳରେ ସାମାନ୍ୟ ଜଣାଶୁଣା ମାଗୁଣି ନୟାଗଡ଼ (ସେତେବେଳେ ପୁରୀ ଜିଲ୍ଲାରେ ଥିବା) ସହର ଉପକଣ୍ଠରେ ଥିବା ବୋଦାପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ରଜଦୋଳି ଗୀତ ବହି ଭଳି ସେ ଆଉ କେତୋଟି ଗୀତ ବହି ମଧ୍ୟ ରଚନା କରିଥିଲେ। ସେ ସଂଗୀତପ୍ରେମୀ ଥିଲେ ହାରମୋନିୟମ୍‌ ଓ କ୍ଲାରିଓନେଟ୍‌ (ତୁରୀ ଜାତୀୟ ବାଦ୍ୟ) ଆଦି ବଜାଉଥିଲେ। ବହିଗୁଡ଼ିକ ଲେଖକ ନିଜେ ଗାଇବା ସହ ଗାଁ ଗାଁ ବୁଲି ଓ ବିଦ୍ୟାଳୟମାନଙ୍କରେ ଏହାକୁ ସେ ବିକ୍ରି କରୁଥିଲେ ବୋଲି ତାଙ୍କୁ ଜାଣିଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ନୟାଗଡ଼, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଆଦି ଅଞ୍ଚଳ ବୁଲି ସେ ଗୀତ ଗାଉଥିଲେ ଓ ବହି ବିକ୍ରି କରୁଥିଲେ। ନବେଦଶକରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୂର୍ବରୁ ଓଡ଼ିଶାରେ ରେକର୍ଡ ଗୀତକୁ ବିଭିନ୍ନ ଲେଖକ ବହି କରି ବିକ୍ରି କରିବାର ବହୁ ଉଦାହରଣ ରହିଛି। ମାଗୁଣି ମହାପାତ୍ର ସେଇ କାମଟି କରିଛନ୍ତି। ରାଧାରମଣ ରାୟଙ୍କ ରେକର୍ଡରେ ରଚନା ଓ ପରିଚାଳନା- ରାଧାରମଣ ରାୟ ବୋଲି ଉଲ୍ଲେଖ ଥିଲେ ହେଁ, ସେ ଲୋକଗୀତରେ ସାମାନ୍ୟ ପରିବର୍ତ୍ତନ କରି ୧୯୫୨ ବା ତହିଁ ପୂର୍ବରୁ ରେକର୍ଡଟି ପ୍ରସ୍ତୁତ କରିଥିବା ଅନୁମାନ କରାଯାଏ। ଏଥିରେ ପଦ୍ମାବତୀ, ଶେଫାଳିଙ୍କ ସାଙ୍ଗକୁ ନିଜେ ରାଧାରମଣ କଣ୍ଠଦାନ କରିଛନ୍ତି ବୋଲି ରେକର୍ଡ ଲେବେଲ୍‌ରେ ଉଲ୍ଲେଖ ରହିଛି।

ମାଗୁଣି ମହାପାତ୍ର ନା ରାଧାରମଣ ରାୟ, କିଏ ଏ ଗୀତକୁ ଲେଖିଥିଲେ ବୋଲି ଚର୍ଚ୍ଚା ମଝିରେ ଏହା ସ୍ପଷ୍ଟ ଯେ ଏ ଲୋକଗୀତ ଆମ ମୌଖିକ ପରମ୍ପରାରେ ଶହଶହ ବର୍ଷ ଧରି ରହିଥିଲା। ଏହାକୁ ରାଧାରମଣ ସଂଗ୍ରହ କରି ସାମାନ୍ୟ ଆଧୁନିକତାର ପ୍ରଲେପ ଦେଇଛନ୍ତି କେବଳ।

ମାଗୁଣି ମହାପାତ୍ରଙ୍କ ବହିରେ ଥିବା ପାଠ ନିମ୍ନରେ ଦିଆଗଲା। ମାଗୁଣି ତାଙ୍କ ବହିରେ କେତୋଟି ପଙ୍‌‌କ୍ତି ବାଦ ଦେଇଥିବା ବେଳେ କିଛି ଶବ୍ଦରେ ପରିବର୍ତ୍ତନ କରିଛନ୍ତି। ରେକର୍ଡରେ ଥିବା ଗୀତର କିଛି ଅଂଶ ମଧ୍ୟ ଆପଣ ଏଇଠି ଶୁଣିପାରିବେ।

ରେକର୍ଡ ରଜଦୋଳି ଗୀତ
ଲେଖକ ଓ ପ୍ରକାଶକ- ଶ୍ରୀ ମାଗୁଣୀ ମହାପାତ୍ର, ଗ୍ରା:- ବୋଦାପଡ଼ା, ପୋ:- ନୟାଗଡ଼, ଜି:- ପୁରୀ
ମୂଲ୍ୟ ଛ’ ପଇସା

ବନସ୍ତେ ଡାକିଲା ଗଜ
ବରଷକେ ଆଜି ଲୋ, ଆସିଛି ରଜ,
ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ୧

ରାଶିରୁ ଛାଡ଼ିଲା ଚୋପା
ଗୋଡ଼ରେ ନାଇଛୁ ସରୁ ଅଳତା,
ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା। ୨

ଉଡ଼ିଲା ଶୁଆ ନାହାକା
ଦୋଳିଟା କାହିଁକି ଲାଗୁଛି ଏକା,
ଲାଗୁଛି ଏକା ଲୋ, ଝୁଲାଅ ପାହି ଦିନ ଏକାଏକା। ୩

ପାଚିଲା ବଇଁଚି କୋଳି
ବେକରେ ନାଇଛୁ ଗଜରା ମାଳି,
ଗଜରା ମାଳି ଲୋ, ଝୁଲାଅ ରଜରେ ଦୋଳି। ୪

ପଣସ ପାଚିଲା ବନେ
ବନ ପୋଡ଼ିଗଲେ ଗୋ ଦୁନିଆ ଜାଣେ,
ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ। ୫

ଶଙ୍ଖ ମଲମଲ ଗିନା
ଦରଦୀ ବୁଝଲୋ (ବୁଝେ ଲୋ) ଦରଦୀ ସିନା,
ଦରଦୀ ସିନା ଲୋ, ବଣିଆ ଚିନ୍ହେଟି ସୁନା। ୬

ନିମ୍ବର ବୁକେ ଚନ୍ଦନ
ଦେବତା ଗଢ଼ିଲା ନାରୀ ଜୀବନ,
ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ। ୭

ଡେମଣା (ଢମଣା) ଛାଡ଼ିଲା କାତି
ପୁରୁଷ ଶିନା (ସିନା) ଲୋ ଭଅଁର ଜାତି,
ଭଅଁର ଜାତି ଲୋ, ନୂଆରେ ରସନ୍ତି ନିତି। ୮

ଚାନ୍ଦରେ କଳଙ୍କ ଚିହ୍ନ
ନବ ଯଉବନୀ ଲୋ, କିଆଁ ଗୁମାନ
କିଆଁ ଗୁମାନ ଲୋ, ଅଇଲେଣି ଜୀବଧନ। ୯

ପୋଘରୀ ତୁଠ ପଥର
ତତେ ଦେଖିଥିଲି ରେ ବାଲିବନ୍ଧର,
ବାଲିବନ୍ଧର ରେ, ଆଖି ଥିଲା ଏଣେ ତୋର। ୧୦

ସାହାଡ଼ା ଗଛର ଛାଲି
ସେ ଦିନ କଥା କି ତୋ ମନେନାହିଁ
ତୋ ମନେ ନାହିଁ ଲୋ, ଏଡ଼େ ମାନ କାହିଁପାଇଁ। ୧୧

ଖୋସାରେ ଖୋସିଲି ଫୁଲ
କେତେ ତୁ ଦେଖାଉ ନୁଖୁରା ଗେଲ
ନୁଖୁରା ଗେଲ ରେ, ଭାଙ୍ଗିନାହିଁ ଦୁଧଗାଲ। ୧୨

ନଈରେ ଶୁଖିଲା ବାଲି
କେତେ ଫୁଲିହେଉ ଲୋ ପୁଚୁକିଗାଲି
ପୁଚୁକିଗାଲି ଲୋ, ଦେଖାଉ ତୁ କେତେ ବେଲି। ୧୩

ବାଜିଲା ତେଲଙ୍ଗୀ ବାଜା
ରସିକ ଯେ ଜାଣେ ସ୍ନେହର ମଜା,
ସ୍ନେହର ମଜା ରେ, ସେ ସିନା ମୋ ମନରଜା। ୧୪

ଦୂର ପରବତ ଶୋଭା
କାଞ୍ଚନ ଫୁଲରେ ମଣ୍ଡିଛୁ ଗଭା,
ମଣ୍ଡିଛୁ ଗଭା ଲୋ, ସେ ତ ଯୁବା ମନ ଲୋଭା। ୧୫

ପାଣିରେ କାଟିଲି ଗାର
ତୋ ପରି ଦେଖିଛି କେତେ ନାଗର
କେତେ ନାଗର ରେ, ଗୋଡ଼ଧୂଳି ସରିନୁହେଁ ମୋର। ୧୬

ବାସିଲା ମହୁଲ ବଣ
ନାକଟେକି କେତେ କହୁ ତୁ ଟାଣ
କହୁ ତୁ ଟାଣ ଲୋ, ଭାଙ୍ଗିଯିବ ସତୀପଣ। ୧୭

ବୟସ ବାର ତେଏର
କାହୁଁ ଶିଖିଲୁ ତୁ ଏଡ଼େ ନାଗର
ଏଡ଼େ ନାଗର ରେ, ଅଛି ତ ବୟସ ତୋର। ୧୮

ପାରା ଖାଇଗଲା ଧାନ
ତୁମେ କି ବୁଝିବ ଆମର ମନ
ଆମର ମନ ଲୋ, ସହୁ କେତେ ହୀନିମାନ। ୧୯

ଘାସରେ ମାଇ କାକର
କଥାରେ ପାଣିରେ ପକାଉ ସର
ପକାଉ ସର ରେ, କଥାରେ ରହିଛି ଫେର। ୨୦

ସମ୍ବଲପୁରିଆ କୁଲା
ଥିରିଥିରି କରି ଦୋଳିକି ଝୁଲା
ଦୋଳିକି ଝୁଲା ଲୋ, ବାସ ତୋର ଉଡ଼ିଗଲା। ୨୧

ଉସୁନା ଚାଉଳ ଚୁନା
କେତେ ଟାହୁଲୁଛୁରେ କାଳିଆ ସୁନା
କାଳିଆ ସୁନା ରେ, ମୋ ଆଡ଼କୁ ଥରେ ଅନା। ୨୨

ବଣରେ ଫୁଟିଲା ମଲ୍ଲି
ରସରେ ଭରିଛୁ ନବ ଛଇଲି
ନବ ଛଇଲି ଲୋ, ରଖିବୁନି ମୋର ଅଳି। ୨୩

କଇଠ (କଇଥ) ଗଛର ଅଠା
ତୁନିତୁନି କହରେ ନକର ହଟା
ନକର ହଟା ରେ, ସବୁରାତ ଫଳ ଫଳ ମିଠା। ୨୪

ପହିଲି ରଜର ଦୋଳି
ତୋରି ତୁଲେ ସହି ଲୋ ସରୁ କଙ୍କାଳି
ସରୁ କଙ୍କାଳି ଲୋ, ଖେଳିବି ମୁଁ ଆଜି ଦୋଳି। ୨୫

ଫୁଟିଲା ବନେ ମାଳତୀ
ଦଗାଦାର ସିନା ଗୋ ପୁରୁଷ ଜାତି
ପୁରୁଷ ଜାତି ଗୋ, ନିତି ନୂଆ ଖୋଜୁଥାନ୍ତି। ୨୬

ବୁଲିଛି ବନେ ହରିଣୀ
ହସି ଗୀତ ଗାଉଲୋ ନବ ରଙ୍ଗିଣୀ
ନବ ରଙ୍ଗିଣୀ ଲୋ, ପଥର ହୁଅଇ ପାଣି। ୨୮

କରଞ୍ଜ ପତର ନାଲି
ମନଭୁଲା ରୀତିଟି ଜାଣିଚ ଖାଲି
ଜାଣିଛ କାଲି ଗୋ, ମୋ ଚିତ୍ତ କିଣିବ ବୋଲି। ୨୯

କାଠଯୋଡ଼ି ନୂଆପୋଲ
ଭଲ ଲାଗୁନାହିଁ ତୁମରି ଗେଲ
ତୁମରି ଗେଲ ଗୋ, କରନା ଆଉ କଟାଳ। ୩୦

କଳାପାଣିରେ ଜାହାଜ
କାଲିକି ନଥିବ ଆଜି ମଉଜ
ଆଜି ମଉଜ ଲୋ, ଆଜି ଯା ପାହିଲୁ ରଜ। ୩୧

ହାତୀ ଭାଙ୍ଗେ ବରଡାଳ
ଦିନଟାରେ କର ମୋ ସଙ୍ଗେ ଗୋଳ
ମୋ ସଙ୍ଗେ ଗୋଳ, ହସିବେ ସଙ୍ଗିନୀ ଦଳ। ୩୨

ବଣରେ ଫୁଟିଲା ମଲ୍ଲୀ
କାହାଠାରୁ ଶିଖିଛ ଏ ନୂଆ ଚାଲି
ଏ ନୂଆ ଚାଲି ଲୋ, ଖେଳୁଛି ବାଙ୍କି ଶିଆଳି। ୩୩

ନଈରେ ଚାଲେ ବାଳିଆ
ମୁଁ ତ ସୁନାଗୋରୀ ତୁମ୍ଭେ କାଳିଆ
ତୁମେ କାଳିଆ ଗୋ, ନାରୀରୂପ ରଙ୍କଳିଆ। ୩୪

କିଆ ଫୁଟି ଛୁଟେ ବାସ
ତୋ ନାଲି ଓଠରେ ମୁରୁକି ହସ
ମୁରୁକି ହସ ଲୋ, ହସି ମୋତେ କଲୁ ବଶ। ୩୫

ତୋଟାରେ ଡାକେ କୋଇଲି
ଭାବିଛକି ମୋତେ ଗୋ କିଣା ପୋଇଲି
କିଣା ପୋଇଲି ରେ, ଶୁଣିବ ଏଣିକି ଗାଳି। ୩୬

ନଈରେ ଜୁଆର ପାଣି
ଆସ ଆସ ମୋର ଗୋ ରାଇଜ ରାଣୀ
ରାଇଜ ରାଣୀ ଲୋ, ଖେଳିବା ରଜ ଝୁଲଣୀ।। ୩୭

ଯାଉଛି ଉଡ଼ାଜାହାଜ
ମୋତେ ଛାଡ଼ି ତୁମେ ଗୋ କର ମଉଜ
କର ମଉଜ ଲୋ, ମୋତେ ମାଡ଼ୁଅଛି ଲାଜ। ସମାପ୍ତ

ବ୍ରହ୍ମପୁର ରାଧାକୃଷ୍ଣ ପ୍ରେସ୍‌ରେ, ଶ୍ରୀ ମଙ୍ଗୁଳୁ ସାହୁଙ୍କ ଦ୍ବାରା ମୁଦ୍ରିତ, ୧୯୫୨

Leave A Reply

Your email address will not be published.