Odisha Link
Bridging the Missing Links in Odisha

ଝଲସିବ ଶ୍ରୀମନ୍ଦିର, ଲାଗିବ ଦାମୀ ଥ୍ରିଡି ଲାଇଟ୍‌

ଭୁବନେଶ୍ବର: ରାତିରେ ଝଲସିବ ଶ୍ରୀମନ୍ଦିର। ଅଁଳାବେଢ଼ା ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ପର୍ଯ୍ୟନ୍ତ ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଫଳରେ ସନ୍ଧ୍ୟାରେ ଆଲୋକମାଳାରେ ଝଲସିବ ଶ୍ରୀମନ୍ଦିର। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିବା ବେଳେ ଆସନ୍ତା ୧୭ ତାରିଖରୁ ଏହି କାମ ଆରମ୍ଭ ହେବାକୁ ଯାଉଛି।

 ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗର ଏକ ତିନିଜଣିଆ ବୈଷୟିକ ଦଳ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁଠାରୁ ବିଜୁଳି ସଂଯୋଗ ନିଆଯିବ, କେଉଁ କେଉଁ ସ୍ଥାନରେ ଲାଇଟ୍‌ ଲାଗିଲେ ଶ୍ରୀମନ୍ଦିର ସୁନ୍ଦର ଦିଶିବ, ସବୁର ଟିକିନିଖି ଅନୁଧ୍ୟାନ କରି ଫେରିଛନ୍ତି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରିବ।

କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍‌କୋସ୍‌’ ଏହି କାମ କରିବ। ପ୍ରକଳ୍ପର ନାମ ‘ଫେକେଡ୍‌ ଇଲୁମିନସେନ୍‌ ପ୍ରୋଜେକ୍ଟ’ ହୋଇଥିବାବେଳେ ଏହା ଜରିଆରେ ଦାମୀ ଲାଇଟ୍‌ ସବୁ ଶ୍ରୀମନ୍ଦିର ଅଁଳା‌ବେଢ଼ା, ଭୋଗମଣ୍ଡପ, କୁରୁମବେଢ଼ା, ଭିତର ଗୁମୁଟ, ବାଇଶି ପାହାଚ ଆଦି ସ୍ଥାନରେ ଲାଗିବ। ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାରରେ ବି ଆଲୋକୀକରଣ ବ୍ୟବସ୍ଥା କରାଯିବ।

ପୂର୍ବରୁ କୋଣାର୍କରେ ଏହି କାମ ଆରମ୍ଭ ହୋଇ ସାରିଥିବାବେଳେ ଶ୍ରୀମନ୍ଦିର ପରେ ଭୁବନେଶ୍ବର ରାଜାରାଣୀ ମନ୍ଦିରରେ ବି ଏଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି ପ୍ରତ୍ନତତ୍ତ୍ବ ବିଭାଗ।

Leave A Reply

Your email address will not be published.