Odisha Link
Bridging the Missing Links in Odisha

ହାଇକୋର୍ଟକୁ ଗଲା ରାଜ୍ୟର କରୋନା ମୃତ୍ୟୁ ପ୍ରସଙ୍ଗ

କଟକ: ହାଇକୋର୍ଟକୁ ଗଲା ରାଜ୍ୟର କରୋନା ମୃତ୍ୟୁ ପ୍ରସଙ୍ଗ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ମୃତ୍ୟୁ ସଂଖ୍ୟା ନେଇ ବିଭିନ୍ନ ଜିଲ୍ଲା ଚିକିତ୍ସାଧିକାରୀଙ୍କ ରିପୋର୍ଟ ସହ ସ୍ୱାସ୍ଥ୍ୟ ବିଭାଗ ପୋର୍ଟାଲର ତଥ୍ୟରେ ତାଳମେଳ ରହୁନଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏହାଛଡ଼ା ଗ୍ରାମାଞ୍ଚଳରେ ରାପିଡ୍ ଟେଷ୍ଟିଂ ଓ ଟିକାକରଣକୁ ବ୍ୟାପକ କରିବା ପାଇଁ ଆବେଦନ କରାଯାଇଛି।

ଅନ୍ୟପକ୍ଷରେ କରୋନା ମୃତ୍ୟୁ ଅଡିଟ୍‌କୁ ତ୍ୱରାନ୍ୱିତ କରିବାକୁ ଗତ ମେ ୨୭ରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହପାତ୍ର ସବୁ ଜିଲ୍ଲାପାଳ, ସିଡିଏମ୍ଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଥିଲେ। କରୋନା କିମ୍ବା ସନ୍ଦିଗ୍ଧ କରୋନା ରୋଗୀର ସମସ୍ତ ମେଡିକାଲ ରେକର୍ଡ ଯାଞ୍ଚ କରି ଜିଲ୍ଲାସ୍ତରୀୟ କମିଟି ପ୍ରତିଦିନ କିମ୍ବା ଦିନେ ଛା଼ଡ଼ି ଦିନେ ରିପୋର୍ଟ ଦେବାକୁ କୁହାଯାଇଥିଲା ଯଦ୍ୱାରା ୪୮ ଘଣ୍ଟା ଭିତରେ ତାର ସମୀକ୍ଷା କରାଯାଇପାରିବ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବିହାରରେ କୋଭିଡ୍ ମୃତ୍ୟୁକୁ ନେଇ ବିବାଦ ହୋଇଥିଲା। ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିହାର ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଅଡିଟ୍ କରିବା ପରେ ୩, ୯୫୧ଟି ନୂଆ ମୃତ୍ୟୁ ମାମଲା ଯୋଡ଼ା ଯାଇଥିଲା। ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସଂଶୋଧନ କରାଯାଇ କୋଭିଡ୍ ମୃତ୍ୟୁ ତାଲିକାରେ ଆଉ ୮ ହଜାର ୮୦୦ ଜଣଙ୍କୁ ସାମିଲ୍ କରାଯାଇଛି।

Leave A Reply

Your email address will not be published.