Odisha Link
Bridging the Missing Links in Odisha

ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: ଭାରତରେ କୋଭିଡର ତୃତୀୟ ଲହରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର, ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି। ଏହି ସର୍ଭେରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଜୁନ୍ ୩ ତାରିଖରୁ ୧୭ ତାରିଖ ମଧ୍ୟରେ ବିଶ୍ୱର ୪୦ଜଣ ବିଶିଷ୍ଟ ହେଲଥ କେୟାର ସ୍ପେଶାଲିଷ୍ଟ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଶେଷଜ୍ଞ, ମହାମାରୀ ବିଶେଷଜ୍ଞଙ୍କୁ ନେଇ ଏହି ସର୍ଭେ କରିଛି। ଭାରତର ବରିଷ୍ଠ ଚିକିତ୍ସକ ଡାକ୍ତର ଦେବୀ ସେଟ୍ଟୀ ଓ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ଏଥିରେ ସାମିଲ ଥିଲେ।

୮୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଅକ୍ଟୋବରରେ ଭାରତରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ୧୨ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ତୃତୀୟ ଲହର ଆସିପାରେ। ୭୦ ପ୍ରତିଶତ ବିଶେଷଜ୍ଞ କହିଥିଲେ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରାଯାଇପାରିବ। ଟିକାକରଣ କାରଣରୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରାଯାଇପାରିବ। ଦୃଇ ତୃତୀୟାଂଶ ଡାକ୍ତର କହିଥିଲେ ଛୋଟ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୋଟ ପିଲା ପ୍ରଭାବିତ ହେବାର କାରଣ ସେମାନଙ୍କ ପାଇଁ ଟିକା ଆସିପାରିନାହିଁ।

୪୦ ରୁ ୧୪ ବିଶେଷଜ୍ଞ ଅର୍ଥାତ ପ୍ରାୟ ୩୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଛୋଟ ପିଲାଙ୍କୁ ଆଦୌ ବିପଦ ନାହିଁ। ୬୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଟିକା ନେଇଥିବା ବ୍ୟକ୍ତିଙ୍କୁ ତୃତୀୟ ଲହର ବିପଦ ହେବ ନାହିଁ। ୭୩ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଆହୁରି ଏକ ବର୍ଷ ଯାଏ କରୋନାର ଭୟ ରହିବ।

ଭାରତରେ ଦ୍ୱିତୀୟ ଲହର ମାରାତ୍ମକ ହେବାରୁ ସାରା ବିଶ୍ୱର ବିଶେଷଜ୍ଞମାନେ ଭାରତର ତୃତୀୟ ଲହରକୁ ନେଇ ଅଧ୍ୟୟନ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ ଆହୁରି ଏକ ବର୍ଷ ଯାଏ ଆମ ଦେଶରେ କରୋନାର ପ୍ରଭାବ ଜାରି ରହିବ। ତେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଥିଲେ, ଟିକାକରଣ ଆହୁରି ବଢ଼ିବ ଏବଂ ଦ୍ୱିତୀୟ ଲହର କାରଣରୁ ଅନେକଙ୍କ କ୍ଷେତ୍ରରେ ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥିବ। ତେଣୁ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ମୁକାବିଲା କରାଯାଇପାରିବ।

Leave A Reply

Your email address will not be published.