Odisha Link
Bridging the Missing Links in Odisha

ଟିକାକେନ୍ଦ୍ରରେ ମୋଦିଙ୍କ ଫଟୋ ଲାଗିବା ନେଇ ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଲେ ସସ୍ମିତ

ଭୁବନେଶ୍ୱର: ଟିକାକରଣ କେନ୍ଦ୍ରରେ ଫଟୋ ଏବଂ ପୋଷ୍ଟର ଚିରିବାକୁ ନେଇ ରାଜନୀତି ଲାଗି ରହିଛି। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଓଡ଼ିଶା ସରକାର ରାଜ୍ୟ ପାଇଁ ଟିକା ସଂଗ୍ରହ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ କେନ୍ଦ୍ରର ସାହାୟତା ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ। ଆଉ ଏବେ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯିବା କଥା।

ଅପରାଜିତାଙ୍କ ଏଭଳି ଟ୍ୱିଟର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଛି।

ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି। ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି।

Leave A Reply

Your email address will not be published.