Odisha Link
Bridging the Missing Links in Odisha

ପାଠ ନବମ, ସାଇବର୍‌ ଠକାମୀରେ ଡକ୍ଟରେଟ୍

ଝାରସୁଗୁଡ଼ା: ସୁନୀଲ ରାଉତରାୟ, ବୟସ ୩୩ ବର୍ଷ। ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ। ସୁନୀଲ ମାତ୍ର ନବମ ଯାଏଁ ପାଠ ପଢ଼ିଛି। କିନ୍ତୁ ସୋସିଆଲ୍‌ ମିଡିଆରେ ଲୋକଙ୍କୁ ଚିତା କାଟିବାରେ ସତେ ଯେମିତି ସେ ପିଏଚ୍‌ଡି କରିଛି। ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିବା ଏ ଠକକୁ ଝାରସୁଗୁଡ଼ା ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଗିରଫ କରିବା ପରେ ଗଣମାଧ୍ୟମ ଆଗରେ ସବୁ ସତ ଓଗାଳିଛି ସୁନୀଲ।

ସେ ଏକାକୀ ଏହି ଠକେଇ ଧନ୍ଦା କରୁଥିଲା। ଗୁଗୁଲ୍‌ ସର୍ଚ୍ଚ କରି ଏକ ସଫ୍ଟଓ୍ବେର ଡାଉନ୍‌ଲୋଡ୍‌ କରି ବିଭିନ୍ନ ଲୋକଙ୍କ ନମ୍ବର ହାସଲ କରୁଥିଲା। ସେମାନଙ୍କ ସହ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ବଢ଼ାଉଥିଲା। ସେମାନଙ୍କ ବିଶ୍ବାସ ଜିତିବା ପାଇଁ ସେମାନଙ୍କ ପାଖକୁ ଗୁଗୁଲ୍‌ ପେ’ ବା ଫୋନ୍‌ ପେ ମାଧ୍ୟମରେ ଟଙ୍କା ଯାଇଛି ବୋଲି ଏକ ମେସେଜ୍‌ ପଠାଉଥିଲା। ମେସେଜ୍‌ ପାଇଥିବା ବ୍ୟକ୍ତିଙ୍କ ଠାରୁ ନିଜ ନମ୍ବରକୁ ପୁଣି ଟଙ୍କା ପଠାଇବାକୁ କହୁଥିଲା।

ଏମିତି ମାଧ୍ୟମରେ ସେ ଲୋକଙ୍କୁ ଠକୁଥିବା କହିଛି ଯେ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ ମୁଣ୍ଡ ଘୂରିଯାଇଛି। ମାତ୍ର ନବମ ଯାଏଁ ପାଠ ପଢ଼ିଥିବା ସୁନୀଲଙ୍କ ଆପରାଧିକ ଜ୍ଞାନ ସମସ୍ତଙ୍କୁ ତାଜୁବ୍‌ କରିଛି। ଝାରସୁଗୁଡ଼ାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦,୦୦୦ ଠକି ନେବା ପରେ ପୁଲିସ ତା ପିଛା ପଡ଼ିଥିଲା। ଟାଉନ୍‌ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ସାଇବର୍‌ ସେଲ୍‌ ଦଳ ସୁନୀଲକୁ ଗିରଫ କରିଛି। ଗତକାଲି ଝାରସୁଗୁଡ଼ା ପୁଲିସ ତାକୁ କୋର୍ଟଚାଲାଣ କରି ରିମାଣ୍ଡରେ ଆଣିଛି।

ପୂର୍ବରୁ ମୋଦିକେୟାରରେ କାମ କରୁଥିବା ସୁନୀଲ ଲକ୍‌ଡାଉନ୍‌ ସମୟରେ ଏହି ଠକେଇ ଧନ୍ଦା ଆରମ୍ଭ କରିଥିଲା। ସେ ୨-୩ ହଜାରରୁ ୧୦,୦୦୦ ଯାଏଁ ଲୋକଙ୍କ ଠାରୁ ଠକିଥାଏ ତାହାଠାରୁ ଅଧିକ ନିଏନାହିଁ ବୋଲି ପୁଲିସ କହିଛି।

ସୁନୀଲକୁ ଘରୁ ଗିରଫ କରାଯାଇଥିବା ବେଳେ ତା ପାଖରୁ ୨୮ଟି ସିମ୍‌କାର୍ଡ, ୧୧ଟି ମୋବାଇଲ୍‌ ଫୋନ୍, ୧୪ଟି ଏଟିଏମ୍‌ କାର୍ଡ, ୧୫ଟି ଚେକ୍‌ ବୁକ୍‌ ମିଳିଥିବା ପୁଲିସ ସୂଚନା ଦେଇଛି। ସୁନୀଲ ଘରୁ ବିଭିନ୍ନ ବ୍ୟାଙ୍କର ୩ଟି ପାସ୍‌ବୁକ୍‌ ମିଳିଛି, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ସେ ଠକି ଆଣିଛି। ତେବେ ପାସ୍‌ବୁକ୍‌ରେ ବେଶି ଟଙ୍କା ନାହିଁ। ଠକିବା ପରେ ପରେ ସୁନୀଲ ଟଙ୍କା ଉଠାଇନିଏ ବୋଲି ପୁଲିସ କହିଛି।

Leave A Reply

Your email address will not be published.