୨୭ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

ଭୁବନେଣ୍ବର: ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ଓଡ଼ିଶା ଆଖପାଖ ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିବଳୟ ଓ ଟ୍ରପ୍ଲାଇନ୍ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ନବରଙ୍ଗପୁର, କନ୍ଧମାଳ, ମୟୂରଭଞ୍ଜ, କଟକ ଓ ବାଲେଶ୍ବରର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।
୨୫ରୁ ୨୭ ତାରିଖର ରାଜ୍ୟର ସମସ୍ତ ଜିଲ୍ଲାରେ କମ୍ ବହୁତେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରବର୍ତୀ ଦୁଇ ଦିନ ରାଜ୍ୟରେ ବର୍ଷା ପରିମାଣ କମିବ। ଉପକୂଳ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାିଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। କେନ୍ଦ୍ରାପଡ଼ା ସମେତ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇଠାରେ ରାଜ୍ୟର ସର୍ବାଧିକ ବର୍ଷା ୨୩ ସେମି ରେକର୍ଡ ହୋଇଛି।