Odisha Link
Bridging the Missing Links in Odisha

ଆଜି ପବିତ୍ର ଦେବ ସ୍ନାନପୂର୍ଣ୍ଣିମା, ବିନା ଭକ୍ତରେ ଚାଲିଛି ନୀତିକାନ୍ତି

ପୁରୀ: ଆଜି ପବିତ୍ର ଦେବ ସ୍ନାନପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଶ୍ରୀଜିଉ। ବିନା ଭକ୍ତରେ ବିନା ଭକ୍ତରେ କୋଭିଡ୍ ନିୟମ ଅନୁସାରେ ଚାଲିଛି ନୀତିକାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବୁଧବାର ରାତି ୧୦ ଟାରୁ ୧୪୪ ଧାରା ଲାଗୁ କରାଯାଇଛି। ଭକ୍ତ ମାନେ ବଡଦାଣ୍ଡକୁ ନଆସି ଟିଭିରେ ସିଧା ପ୍ରସାରଣ ମାଧ୍ୟମରେ ସ୍ନାନଯାତ୍ରା ଓ ହାତୀବେଶ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ତେବେ ମଙ୍ଗଳାର୍ପଣ ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳୀ କରି ଶ୍ରୀଜିଉଙ୍କ ପହଣ୍ଡି କରାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ମହାବାହୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ। ମଙ୍ଗଳା ଆଳତୀ ହୋଇ ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ ପରେ ବର୍ତମାନ ବେଶ ଶେଷ ହୋଇଛି।

୧୦୮ ଗରା ପବିତ୍ର ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏହାପରେ ଗଜବେଶରେ ଦେବେ ଦର୍ଶନ। ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ଛେରାପହଁରା କରୁନାହାନ୍ତି। କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ଜଣାଇଛନ୍ତି।

ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍‌ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି। ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଗହଳି ଏଡ଼ାଇବା ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.