Odisha Link
Bridging the Missing Links in Odisha

ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା କଲେ ଯୁବକ

ପୁନେ: ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା କଲେ ଯୁବକ। କରୋନା ମହାମାରୀ ଯୋଗୁଁ ସରକାରୀ ଚାକିରୀ ପାଇଁ ପରୀକ୍ଷା ବର୍ଷ ସାରା ପାଇଁ ବାତିଲ ହୋଇଛି। ଏଭଳି ସ୍ଥିତିରେ ମହାରାଷ୍ଟ୍ର ପୁନେର ଜଣେ ଛାତ୍ର ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁନେର ହଦପସର ଅଞ୍ଚଳରେ। ୨୪ ବର୍ଷୀ ସ୍ୱପ୍ନିଲ ଲୋନକର ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ପ୍ରି କ୍ଲିୟର କରିଦେଇଥିଲେ। କିନ୍ତୁ କରୋନା ପାଇଁ ଆଗକୁ ପରୀକ୍ଷା ବାତିଲ ହୋଇଯିବାରୁ ତାଙ୍କୁ ଚାକିରୀ ମିଳିନଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ୱପ୍ନିଲଙ୍କ ପିତା ଜଣେ ପ୍ରିଣ୍ଟିଂଗ ପ୍ରେସର ମାଲିକ। ସ୍ୱପ୍ନିଲଙ୍କ ପିତା-ମାତା ବୁଧବାର ଦିନ କୌଣସି ଏକ କାମ ପାଇଁ ବାହାରକୁ ଯାଇଥିଲେ। ତାଙ୍କ ଭଉଣୀ ମଧ୍ୟ କିଛି କାମରେ ବାହାରକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରି ଭାଇକୁ ପାଇଲେନି। ତାଙ୍କ ରୁମକୁ ଯାଇ ଦେଖିଲା ବେଳକୁ ସେ ତଳେ ପଡ଼ିଥିଲେ। ଭାଇକୁ ଏଭଳି ଅବସ୍ଥାରେ ଦେଖି ଚକିତ ହୋଇଗଲେ। ପିତା-ମାତାଙ୍କୁ ଫୋନ କରି ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ଓ ଭାଇକୁ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ସ୍ୱପ୍ନିଲଙ୍କ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା। ସୁଇସାଇଡ୍ ନୋଟରେ ଲେଖା ହୋଇଥିଲା “ଏମପିଏସସି ଏକ ମାୟା। ଏହା ପଛରେ ଦୌଡନି। ମୋ ବୟସ ଯେତେ ବଢୁଛି ବୋଝ ମଧ୍ୟ ସେତିକି ବଢୁଛି। ମୋର ଆତ୍ମବିଶ୍ୱାସ କମି କମି ଯାଉଛି। ପ୍ରି ପାସ କରି ୨ ବର୍ଷ ହେଲାଣି। ମୋ ମୁଣ୍ଡରେ ପାହାଡ ଭଳି କରଜ ଜମା ହେଲାଣି। ପ୍ରାଇଭେଟ୍ ଚାକିରୀ କରି ଏହି ଋଣ ସୁଝି ହବନି।

କୋଭିଡ ନ ହୋଇଥିଲେ ସବୁ ପରୀକ୍ଷା ଠିକ ସମୟରେ ହୋଇଥାନ୍ତା। ଜୀବନ ମଧ୍ୟ ଠିକ ବାଟରେ ଚାଲିଥାନ୍ତା। ଗତ କିଛି ଦିନ ହେଲା ମୋ ମନରେ ନକାରାତ୍ମକ ଚିନ୍ତା ଆସୁଛି କିନ୍ତୁ ମୁଁ ଭାବୁଥିଲି ସବୁ ଠିକ ହୋଇଯିବ। କିନ୍ତୁ କିଛି ଠିକ ହେଲା ଭଳି ସମ୍ଭାବନା ଦେଖାଯାଉନି। ମୋ ଆତ୍ମହତ୍ୟା ପାଇଁ କେହି ବି ଦାୟୀ ନୁହନ୍ତି। ଏହା ମୋର ନିଜର ଇଚ୍ଛା। ମୋତେ କ୍ଷମା କରିଦିଅନ୍ତୁ।”

ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ। ଆତ୍ମହତ୍ୟା କରିବା ପାଇଁ ଆଦୌ ଭାବନ୍ତୁ ନାହିଁ। ସବୁ ସମସ୍ୟାର ସମାଧାନ ରହିଛି ତେଣୁ ସମାଧାନର ବାଟ ଆପଣାନ୍ତୁ ଆତ୍ମହତ୍ୟାର ନୁହେଁ।

Leave A Reply

Your email address will not be published.