Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ ଓ ଗହମ

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ। କୋଭିଡ୍‌ ମହାମାରୀ ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ଦିଆଯିବ। ଯୋଜନାର ଚତୁର୍ଥ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଉପକୃତ ହେବେ ଓଡ଼ିଶାର ୩ କୋଟି ୨୪ ଲକ୍ଷ ହିତାଧିକାରୀ।

ସ୍କିମ ଅଧିନରେ କେନ୍ଦ୍ର ସରକାର ଜୁଲାଇରୁ ନଭେମ୍ବର ଯାଏ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇବେ ଖାଦ୍ୟ ଶସ୍ୟ। ଏଥିପାଇଁ ରାଜ୍ୟକୁ ୧.୦୮ ଲକ୍ଷ ମେଟ୍ରିକ ଟନ୍‌ ଗହମ ଓ ୭.୦୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର। ଚତୁର୍ଥ ପର୍ଯ୍ୟାୟ ସମ୍ପ୍ରସାରଣ କାରଣରୁ କେନ୍ଦ୍ର ସରକାର ମୋଟ ୩ ହଜାର ୪୪ କୋଟି ଟଙ୍କା ବହନ କରିବେ। ହିତାଧିକାରୀଙ୍କୁ ଚାଉଳ ଓ ଗହମ ଆବଣ୍ଟନ ଲାଗି FCI ଚାଉଳ କିଲୋ ୩୯ ଟଙ୍କା ଓ ଗହମ ୨୮ ଟଙ୍କାରେ କ୍ରୟ କରିଛି।

ଏହାପୂର୍ବରୁ ତୃତୀୟ ପର୍ଯ୍ୟାୟରେ ମେ’ ଓ ଜୁନ୍‌ ଦୁଇ ମାସ ପାଇଁ ୨.୮୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଏବଂ ୪୩ ହଜାର ମେଟ୍ରିକ ଟନ୍‌ ଗହମ ହିତାଧିକାରୀଙ୍କୁ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଆବଣ୍ଟନ ପାଇଁ ୧୨୨୦ କୋଟି ଖର୍ଚ୍ଚ କରିଥିଲେ କେନ୍ଦ୍ର ସରକାର।