Odisha Link
Bridging the Missing Links in Odisha

ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୟାଗଡ଼ ମହିଳା ବିଜେଡି ସଭାନେତ୍ରୀ!

ନୟାଗଡ଼: ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଦିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ବଞ୍ଚି ଥାଉ ତାଉ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ନୟାଗଡ଼ ବିଜେଡି। ଜିଲ୍ଲାରେ ଜଣେ ବିଜେଡି ନେତ୍ରୀଙ୍କ ଏତାଦୃଶ ତ୍ରୁଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନିକଟରେ ଦଳର ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ କରିଛନ୍ତି। ଏହି ମର୍ମରେ ଓଡ଼ଗାଁ ବ୍ଲକ ଉପସଭାପତି ବିରାଜଲକ୍ଷ୍ମୀ ସାହୁଙ୍କୁ ନୟାଗଡ଼ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ନିଯୁକ୍ତ କରାଯାଇଛି। ବିରାଜଲକ୍ଷ୍ମୀ ହେଉଛନ୍ତି ବିଧାୟକ ଅରୁଣ କୁମାର ସାହୁଙ୍କ ଘନିଷ୍ଠ ସହଯୋଗୀ ଲୋକନାଥ ସାହୁଙ୍କ ପତ୍ନୀ।

ଏହି ନିଯୁକ୍ତି ପରେ ବିରଜାଲକ୍ଷ୍ମୀ ବିଧାୟ ଅରୁଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ବା କୃତଜ୍ଞତା ଜଣାଇବା ବଦଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ନୟାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ସମ୍ପର୍କିତ ଭିଡିଓଟି ଗଣମାଧ୍ୟମରେ ସଂଚରିବାରେ ଲାଗିଛି।

ଅବଶ୍ୟ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ ବିରାଜଲକ୍ଷ୍ମୀଙ୍କ ଏଭଳି ମନ୍ତବ୍ୟ ଭୁଲବଶତଃ ପାଟିରୁ ଖସିଯାଇଥିବା ଅନୁମାନ କରାଯାଉଛି। ଗଣମାଧ୍ୟମ ସାମନାକୁ ଆସିବା ପୂର୍ବରୁ ନେତାମାନେ ପ୍ରସ୍ତୁତ ହୋଇ ଆସିବା ସହ ଭାଷା ପ୍ରତି ଧ୍ୟାନ ଦିେବା ଉଚିତ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ବେଳେ ନିଜର ନିର୍ବାଚନୀ ପ୍ରଚାର ସଭା ନୟାଗଡ଼ରୁ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ବକ୍ତବ୍ୟରେ ସେ ମହିଳାଙ୍କୁ ଅଧିକପ୍ରାଧାନ୍ୟ ଦେବାକଥା କହିଥିଲେ। ତେବେ ନୟାଗଡ଼ ଜିଲ୍ଲାରେ ଉଭୟ ପଞ୍ଚାୟତିରାଜ ପିରାମିଡରେ ଓ ବିଜୁ ଜନତା ଦଳ ସଂଗଠନରେ ମହିଳା ଦୂରର କଥା, ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ଗୁରୁତ୍ବ ମିଳୁନାହିଁ।

Leave A Reply

Your email address will not be published.