Odisha Link
Bridging the Missing Links in Odisha

ରାଜଧାନୀରେ ରାତି ୩ଟା ଯାଏଁ ମିଳିବ ମଦ

ନୂଆଦିଲ୍ଲୀ: ରାଜଧାନୀରେ ରାତି ୩ଟା ଯାଏଁ ମିଳିବ ମଦ। ମଦ ମାଫିଆଙ୍କୁ ରୋକିବା ସହ ରାଜସ୍ୱ ବୃଦ୍ଧି ନେଇ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ନୂଆ ନୀତିରେ ରାତି ୩ଟା ଯାଏ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର ଗୁଡ଼ିକ ରାତି ୩ଟା ଯାଏଁ ଖୋଲା ରହିବ। ଏଗୁଡ଼ିକରେ ଲୋକଙ୍କୁ ମଦ ସେବା ଯୋଗାଇ ଦିଆଯିବ।

୨୦୨୧-୨୨ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ରାଜସ୍ୱ ବୃଦ୍ଧି କରିବାକୁ ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଛି। ନୂଆ ନୀତିରେ ମଦ ପିଇବାର ଆଇନଗତ ବୟସ ୨୫ରୁ ୨୧କୁ ହ୍ରାସ କରାଯାଇଛି। ସରକାର ଆଉ କୌଣସି ମଦ ଦୋକାନ ଚଳାଇବେ ନାହିଁ। ଜାତୀୟ ରାଜଧାନୀରେ ମଦ ଦୋକାନଗୁଡ଼ିକର ଘରୋଇ କରଣ ହୋଇଯିବା ପାଇଁ ଏଥିରେ ବ୍ୟବସ୍ଥା ହୋଇଛି। ମଦ ହୋମ ଡେଲିଭରୀକୁ ଗୁରୁତ୍ୱ ଦିଆଯାଇ ନାହିଁ।

ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ। ଗ୍ରାହକମାନେ ନିଜ ଇଚ୍ଛାରେ ବ୍ରାଣ୍ଡ ଚୟନ କରିବା ସହ ଏହାକୁ କିଣି ପାରିବେ। ପୂରା ଆର୍ଥିକ କାରବାର ଉକ୍ତ ଦୋକାନ ମଧ୍ୟରେ ହିଁ ହେବ। ଏହି ରିଟେଲ ଦୋକାନ ଗୁଡ଼ିକରେ ଏସି ଲାଗିବା ବାଧ୍ୟତାମୂଳକ। ସେହିପରି ଏଠାରେ କାଚର ଦ୍ୱାର ଲାଗିବ। ଦୋକାନ ବାହାରେ କୌଣସି ଗ୍ରାହକ ଭିଡ଼ କରିବେ ନାହିଁ। ସେହିପରି ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ମଧ୍ୟ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ।

କାଉଣ୍ଟରରୁ ହିଁ ସମସ୍ତେ ମଦ କିଣିବେ। ସବୁ ଦୋକାନର ଭିତରେ ଓ ବାହାରେ ସିସିଟିଭ ଲାଗିବ। ଏଥିରେ ଗୋଟିଏ ମାସ ଯାଏ ରେକର୍ଡିଂ ରହିବାର ସୁବିଧା ଉପଲବ୍ଧ ହେବ। ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି। ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିପାଲ ବୋର୍ଡ ଅଛି। ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏ ମଦ ଦୋକାନ ଖୋଲିବ। ନୂଆ ଦିଲ୍ଲୀ ଓ କେଣ୍ଟ ବିଧାନସଭାରେ ମୋଟ ୨୯ଟି ଦୋକାନ ଓ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଏ ଏୟାରପୋର୍ଟରେ ୧୦ଟି ମଦ ଦୋକାନ ଖୋଲିବ।

Leave A Reply

Your email address will not be published.