Odisha Link
Bridging the Missing Links in Odisha

ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ ପାଇଁ ମଠ କାହିଁକି?

୨୦୦୪ରେ ଅରୁଣ କୁମାର ସାହୁ ନୟାଗଡ଼ର ବିଧାୟକ ହେବା ପରଠାରୁ ଏଯାବତ୍‌ ବହୁ ରାଜନୈତିକ ହତ୍ୟାକାଣ୍ଡରେ ତାଙ୍କର ସିଧାସଳଖ ବା ପରୋକ୍ଷ ସଂପୃକ୍ତି ନେଇ ଅଭିଯୋଗ ଉଠିଛି। ତନ୍ମଧ୍ୟରୁ ୪ଟି ହତ୍ୟାକାଣ୍ଡ ବେଶ୍‌ ଚର୍ଚ୍ଚାକୁ ଆସିଥିବା ବେଳେ ରାଜନୈତିକ ଚାପରେ ସେସବୁ ପଛର ରହସ୍ୟ ଉନ୍ମୋଚନ କରି ଅପରାଧୀଙ୍କୁ ଧରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ନୟାଗଡ଼: ଚଳିତ ବର୍ଷ ଜିଲ୍ଲାରେ ସବୁଠୁ ଚର୍ଚିତ ଅପରାଧ ଭାବେ ପରିଚିତ କୁନିଝିଅ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ରୁ ନୂଆଦିଲ୍ଲୀ ଯାଏଁ ଚହଳ ପଡ଼ିଥିଲା। ସରକାର ଏ ନେଇ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ମାମଲାର ତ୍ବରିତ ସମାଧାନ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ହତ୍ୟାକାଣ୍ଡର ପଛର କାରଣ ଖୋଜିବା ସହ ହତ୍ୟାକରୀକୁ ଧରିଥିଲେ ଏସ୍‌ଆଇଟି। ଏହା ପରେ ପରୀକୁ ନେଇ ଲାଗିରହିଥିବା ରାଜନୈତିକ ଉଷ୍ମତା ବି ଶିଥିଳ ହୋଇଯାଇଥିଲା। ତେବେ ବିଡ଼ମ୍ବନାର ବିଷୟ, ପରୀ ମାମଲାରେ ତରବର ପୁଲିସ-ପ୍ରଶାସନ ୧୦-୨୦ ବର୍ଷ ଧରି ଜିଲ୍ଲାରେ ବହୁ ହତ୍ୟାକାଣ୍ଡ ମାମଲାର ସମାଧାନ କରିବାରେ ବିଫଳ ହୋଇଛନ୍ତି।

ନୟାଗଡ଼ରୁ ଚାରିଚାରି ଥର ବିଧାୟକ ହୋଇଥିବା ବର୍ତ୍ତମାନର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ୨୦୦୬ ମସିହାରେ ତାଙ୍କର ଜଣେ ସହଯୋଗୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମୃତକଙ୍କ ନାମ ଥିଲା ଛବି ବର୍ଦ୍ଧନ। ସେ ଶ୍ରୀ ସାହୁଙ୍କର ଘନିଷ୍ଠ ସହଯୋଗୀ ଥିଲା। କୌଣସି ଗୁପ୍ତ ତଥ୍ୟ ଜାଣିଥିବା ଯୋଗୁଁ, ବା କିଛି ଅପକର୍ମ ଦେଖିଥିବା ହେତୁ ଛବିଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସେ ସମୟରେ ଅଭିଯୋଗ ଉଠିଥିଲା। ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମ୍‌ ବ୍ରାଞ୍ଚ୍‌କୁ ଦିଆଯାଇଥିଲେ ବି ଏହାର ସମାଧାନ ହୋଇ ପାରିନଥିଲା। ବରଂ ଏ ଘଟଣାର ଏକମାତ୍ର ସାକ୍ଷୀ କହାଯାଉଥିବା ବ୍ୟକ୍ତିଙ୍କୁ ପରେ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା ବୋଲି ଅଭିଯୋଗ ହୁଏ।

ଛବି ବର୍ଦ୍ଧନ ହତ୍ୟା ଘଟଣାର ଏକମାତ୍ର ସାକ୍ଷୀ କହାଯାଉଥିବା ବସନ୍ତ ଡାକୁଆଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନୟାଗଡ଼ରୁ ମିଳିଥିଲା। ସେ ଛବି ବର୍ଦ୍ଧନ ହତ୍ୟାକାଣ୍ଡ ବାବଦରେ ଜାଣିଥିବା ଦାବି ହେଉଥିବା ବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ରାଜନୈତିକ ସଂପୃକ୍ତି ନେଇ ସନ୍ଦେହ ଦୃଢ଼ କରିଥିଲା।

୨୦୧୩ରେ ବାଉଁଶିଆପଡ଼ାର ପୂର୍ବତନ ସରପଞ୍ଚ ତଥା କଂଗ୍ରେସ ନେତା ପ୍ରଫୁଲ୍ଲ ମହାନ୍ତିଙ୍କ ବିଭତ୍ସ ହତ୍ୟା ହୋଇଥିଲା। ଏଥିରେ ଶାସକ ଦଳ ଓ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲେ ବି ଅସଲ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ କାଳକ୍ଷେପଣ କରିଥିଲା।

ନୟାଗଡ଼ ଜିଲ୍ଲାରେ ରାଜନୈତିକ ଅପରାଧର ଲମ୍ବାତାଲିକା ଥିବା ବେଳେ ଗତ ୧୫ ବର୍ଷ ଭିତରେ ଏସବୁର ସଂଖ୍ୟା ବୃଦ୍ଧିପାଇଛି। ୨୦୧୩ ମସିହାରେ ଭାପୁରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁବାରୀ କଅଁରଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ଥିବା ଅପରାଧୀ ଏବେ ଖୋଲାରେ ବୁଲୁଥିବା ବେଳେ ଇତି ମଧ୍ୟରେ ସେମାନେ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ପାଲଟିଥିବା ଆଲୋଚନା ହେଉଛି।

ଏହି ୪ ହତ୍ୟାକାଣ୍ଡ ପଛରେ ଶାସକ ଦଳର ହାତ ଥିବା ନେଇ ବିରୋଧୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଅପରାଧୀଙ୍କୁ ଧରିବାରେ ପୁଲିସ କୌଣସି ଆଗ୍ରହ ଦେଖାଉନାହିଁ। କେଉଁ ଘଟଣାରେ ମନ୍ତ୍ରୀଙ୍କର ସିଧାସଳଖ ସଂପୃକ୍ତି ନେଇ ଅଭିଯୋଗ ଉଠିଛି ତ ଅନ୍ୟ ଘଟଣାରେ ଅପରାଧୀଙ୍କୁ ସେ ଘଣ୍ଟ ଘୋଡ଼ାଉଥିବା ଚର୍ଚ୍ଚା ହେଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିରୋଧୀ ଏହି ହତ୍ୟାକାଣ୍ଡ ଘଟଣାକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ଅଣ୍ଟା ଭିଡ଼ିଛି।

Leave A Reply

Your email address will not be published.