Odisha Link
Bridging the Missing Links in Odisha

ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ରାଷ୍ଟ୍ରପତି ଭବନକୁ ଡାକରା

ନୂଆଦିଲ୍ଲୀ: ଆଜି ସଂଧ୍ୟା ୬ଟାରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ କିଛି ଦିନ ଧରି ଚର୍ଚ୍ଚା ହେଉଥିବାବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ଜଣ ନୂଆ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ ହୋଇଯାଇଛିି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ। ଉଭୟ ମନ୍ତ୍ରୀପଦ ରେସରେ ରହିଥିବାବେଳେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରୁ ଯିବାକୁ କୁହାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରକୁ ଶ୍ରୀ ଟୁଡୁ ଯାଇଥିଲେ। ପିଏମଓରୁ ଫୋନ ପାଇ ଶ୍ରୀ ଟୁଡୁ ମୋଦୀଙ୍କ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନକୁ ଯାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଫୋନ ଆସିଲା। ପ୍ରାଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲି। ମୁଁ ଓ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲୁ। ସନ୍ଧ୍ୟା ୫ଟାବେଳେ ଆମକୁ ରାଷ୍ଟ୍ରପତି ଭବନ ଆସିବାକୁ କୁହାଯାଇଛି। ଶପଥ ସମାରୋହରେ ଯୋଗଦେବାକୁ ଆମକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ମୁଁ ନିର୍ବାହ କରିବି ବୋଲି ଶ୍ରୀ ଟୁଡୁ କହିଛନ୍ତି ।

ଅନ୍ୟପକ୍ଷରେ ମୋଦୀଙ୍କ ଟିମରେ ୪୩ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି। ସେମାନଙ୍କ ନାମ ରାଷ୍ଟ୍ରପତି ଭବନକୁ ଯାଇଥିବା ସୂଚନା ମିଳିଛି। ତନ୍ମଧ୍ୟରୁ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଓ ଅଶ୍ୱିନ ବୈଷ୍ଣବଙ୍କ ନାମ ସାମିଲ ଥିବା ଜଣାଯାଇଛି। ସେହିପରି ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ମିଳିଛି । ଏମାନଙ୍କ ନାମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ଜଣାଯାଇଛି।

Leave A Reply

Your email address will not be published.