Odisha Link
Bridging the Missing Links in Odisha

ନିରାଶ ହେଲେ ହେଭିଓ୍ବେଟ୍‌

ଅଶ୍ବିନୀଙ୍କ ବ୍ୟତୀତ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ମନ୍ତ୍ରୀ ପଦ ଦୌଡ଼ରେ ଥିବା ନେଇ ବହୁ ଚର୍ଚ୍ଚା ହୋଇଥିଲା।

ଭୁବନେଶ୍ବର: ସରିଲା କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ବହୁ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥିସହିତ ୧୦ରୁ ଅଧିକ ମନ୍ତ୍ରୀଙ୍କୁ ବିଦା ମଧ୍ୟ କରିଛନ୍ତି ମୋଦୀ। ଯେଉଁଥିରେ ସାମିଲ ଅଛନ୍ତି ବଡ଼ ବଡ଼ ନେତା। ଏସବୁ ମଧ୍ୟରେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ମୋଦୀଙ୍କ ନୂଆ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଅଶ୍ବିନୀ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ବେଶ୍ବର ଟୁଡୁ ଶପଥ ନେଇଛନ୍ତି।

ସବୁଠୁ ବଡ଼ କଥା ହେଲା ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ଓଡ଼ିଶାରୁ କେଉଁ ନେତାଙ୍କୁ ମନ୍ତ୍ରୀ ପଦ ମିଳିବ ସେ ନେଇ ହୋଇଥିଲା ଚର୍ଚ୍ଚା। ଅଶ୍ବିନୀଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ଶ୍ରୀ ଟୁଡୁଙ୍କ ନାମ ମନ୍ତ୍ରୀ ପଦ ଦୌଡ଼ରେ ନଥିଲା। ହେଲେ ଆଜି ସକାଳୁ ଟୁଡୁଙ୍କ ନାମ ଚର୍ଚ୍ଚାକୁ ଆସିଥିଲା।

ଅଶ୍ବିନୀଙ୍କ ବ୍ୟତୀତ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ମନ୍ତ୍ରୀ ପଦ ଦୌଡ଼ରେ ଥିବା ନେଇ ବହୁ ଚର୍ଚ୍ଚା ହୋଇଥିଲା। ହେଲେ ପିଏମ୍‌ ମୋଦୀ ଅଶ୍ବିନୀଙ୍କୁ କ୍ୟାବିନେଟ୍‌ ଟିକେଟ୍‌ ଦେଇଥିବା ବେଳେ ଆଉ ୩ ପ୍ରମୁଖ ଚେହେରାଙ୍କୁ ବାଦ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି।

ନିଆରା କାର୍ଯ୍ୟଶୈଳୀ ଓ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅପରାଜିତାଙ୍କ ନାମ ମନ୍ତ୍ରୀପଦ ରେସରେ ଥିଲା। ସେହିଭଳି ଆସାମ ନିର୍ବାଚନରେ ବିଜେପି ଜିତିବା ପଛରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନ ଥିଲା। ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ଆସାମରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଯାହାକୁ ଆଧାର କରି ମନ୍ତ୍ରିମଣ୍ଡଳରେ ଶ୍ରୀ ପଣ୍ଡା ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଖୁବ୍‌ ହେଉଥିଲା। ସେହିପରି ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାମକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା। ହେଲେ ଏହି ତିନି ହେଭିଓ୍ବେଟଙ୍କୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିନାହାନ୍ତି।

ମନ୍ତ୍ରୀ ଭାବେ ଶପଥ ନେଇଥିବା ନେତାଙ୍କ ନାମ:

ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ, କିରେନ ରିଜଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନୁସୁଖ ମାଣ୍ଡବୀୟ, ଭୂପେନ୍ଦ୍ର ଯାଦବ, ପୁରୁଷୋତମ ରୁପାଲା, ଜି.କିସାନ ରେଡ୍ଡୀ, ଅନୁରାଗ ସିଂହ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ସିଂହ ପଟେଲ, ଡକ୍ଟର ସତ୍ୟପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରାଣ୍ଡଲାଜେ, ଭାନୁ ପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମୀନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ, କୁଶଲ କିଶୋର, ଅଜୟ ଭଟ୍ଟ, ବିଏଲ ବର୍ମା, ଅଜୟ କୁମାର, ଚୌହ୍ୱାନ ଦେବୁସିହ୍ନ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ଡକ୍ଟର ସୁବାସ ସରକାର, ଡକ୍ଟର ଭଗବନ କିସାନରାଓ କରାଡ଼, ଡକ୍ଟର ରାଜକୁମାର ରଞ୍ଜନ ସିଂହ, ଡକ୍ଟର ଭାରତୀ ପ୍ରବୀନ ପାୱାର, ବିଶେଶ୍ୱର ଟୁଡ଼ୁ, ଶାନ୍ତନୁ କୁମାର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ ବର୍ଲା, ଡକ୍ଟର ଏଲ ମୁରୁଗନ ଓ ନିଶିଥ ପରମାଣିକ ।

Leave A Reply

Your email address will not be published.