Odisha Link
Bridging the Missing Links in Odisha

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଗତକାଲି ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିବା ବେଳେ ୪୩ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି।କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରିଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର ଦାୟିତ୍ୱ ଦିଆଯାଇଛି। ଆଜି ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ। ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଅଶ୍ୱିନୀ କହିଛନ୍ତି ଯେ, ‘ରେଳ ମନ୍ତ୍ରାଳୟକୁ ନେଇ ମୋଦୀଙ୍କ ବଡ଼ ଭିଜନ ରହିଛି। ମୋଦୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବି।’

ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀଙ୍କୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୨୦୧୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ପ୍ରଥମ ଥର ସାଂସଦ ହୋଇଥିବା ବେଳେ ପ୍ରଥମ ଥର କ୍ୟାବିନେଟରେ ମଧ୍ୟ ସାମିଲ ହୋଇଛନ୍ତି।

ଅଶ୍ୱିନୀ ବୈଷ୍ଣବ ୧୯୭୦ ମସିହାରେ ରାଜସ୍ଥାନର ଯୋଦ୍ଧପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପୂର୍ବତନ ଆଇଏଏସ ଅଫିସର। ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଶ୍ୱିନୀ କଟକ ଏବଂ ବାଲେଶ୍ୱରରେ ଜିଲ୍ଲାପାଳ ରହିଥିଲେ। ଓଡ଼ିଶା ଶାସନରେ ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ଉପ-ବ୍ୟକ୍ତିଗତ ସଚିବ ମଧ୍ୟ ରହିଥିଲେ।

ଆଇଏଏସ ଚାକିରି ଛାଡ଼ି କର୍ପୋରେଟ କ୍ଷେତ୍ରରେ ମନୋନିବେଶ କରିଥିଲେ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ, ଅଶ୍ୱିନୀ ଆମେରିକାର ୱାର୍ଥନ୍ ସ୍କୁଲ୍ ଅଫ୍ ୟୁନିର୍ଭସିଟିରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ଆଇଆଇଟି କାନପୁରୁ ଏମ୍ଟେକ୍ କରିଛନ୍ତି। ସେ ଅନେକ ନାମୀଦାମୀ କମ୍ପାନୀର ନିର୍ଦ୍ଦେଶକ ପଦବୀରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ସେ ଓଡ଼ିଶାର ଖଣି କମ୍ପାନୀ ତ୍ରିବେଣୀ ପିଲେଟ୍ସ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ଭାବେ ୨୦୧୭ ଫେବ୍ରୁଆରିରୁ ୧୩ରୁ କାର୍ୟ୍ୟଭାର ତୁଲାଇ ଆସୁଥିଲେ।

Leave A Reply

Your email address will not be published.