କେବେ ଖୋଲିବ ସ୍କୁଲ, କଲେଜ?
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଏବେ ବି ରାଜ୍ୟର ୧୦ ଜିଲ୍ଲାରେ କରୋନା ସଂକ୍ରମଣରେ ଲାଗିନି ବିରାମ। ଏସବୁ ମଧ୍ୟରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ରହିବ ବୋଲି ସେ କହିଛନ୍ତି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।
ରାଜ୍ୟରେ ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍। ତେବେ ସ୍କୁଲ କେବେ ଖୋଲିବ ଓ ଅଫ୍ଲାଇନ୍ରେ କେବେ ପାଠ ପଢ଼ା ଆରମ୍ଭ ହେବ ସେନେଇ ଏବେ କୌଣସି ସୂଚନା ମିଳିନାହିଁ। ଏଥିସହିତ ସମଗ୍ର ରାଜ୍ୟରେ କଟକଣା ସହ ବସ୍ ଚଳାଚଳ ଆାରମ୍ଭ କରିବ ବୋଲି ସୂଚନା ରହିଛି।
ଏହାସହ ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ କାଲିଠାରୁ ଖୋଲିବ। ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି। ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ମଧ୍ୟ ଅନୁମତି ଦିଆଯାଇଛି। ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା କିନ୍ତୁ ବନ୍ଦ ରହିବ। ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ।