Odisha Link
Bridging the Missing Links in Odisha

ଚାଲିଗଲେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଅଭିନେତ୍ରୀ ସୁରେଖା ସିକ୍ରି। ‘ବାଲିକାବଧୂ’ର ଦାଦି ସା’ ଭାବେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ୭୫ ବର୍ଷ ବୟସରେ ‘ବଧାଇ ହୋ’ ଫେମ୍ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ସକାଳୁ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁରେ ବଲିଉଡ ସମେତ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। ସୁରେଖାଙ୍କ ମୃତ୍ୟୁକୁ ନେଇ ଅନେକ ସେଲେବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଟିଭି ଧାରାବାହିକ ‘ବାଲିକା ବଧୂ’ରେ ସୁରେଖା ଦାଦି ସା’ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ର ସୁରେଖାଙ୍କୁ ଭିନ୍ନ ଏକ ପରିଚୟ ଦେଇଥିଲା। ସେ ଘରେ ଘରେ ଦାଦି ସା’ ରୂପେ ପରିଚିତ ହୋଇଥିଲେ। ଲୋକେ ତାଙ୍କୁ ବେଶ୍ ପସନ୍ଦ ମଧ୍ୟ କରୁଥିଲେ।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ସୁରେଖାଙ୍କୁ ପ୍ରଥମ ଥର ପାଇଁ ବ୍ରେନ୍‌ ଷ୍ଟ୍ରୋକ୍ ଆସିଥିଲା। ଏହାପରେ ସେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଇ ଗତି କରୁଥିଲେ। ପରେ ୨୦୨୦ ମସିହାରେ ତାଙ୍କୁ ଦ୍ବିତୀୟ ଥର ପାଇଁ ବ୍ରେନ୍‌ ଷ୍ଟ୍ରୋକ୍ ଆସିଥିଲା।

୩-୩ ଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରି ଅସୁସ୍ଥ ଥିବା ସତ୍ତ୍ୱେ ୨୦୨୦ ପୂର୍ବରୁ ପରଦାରେ ସକ୍ରିୟ ଥିଲେ। ତାଙ୍କୁ ଶେଷ ଥର ପାଇଁ OTT ରିଲିଜ୍ ହୋଇଥିବା ଆନ୍ଥୋଲୋଜି ଫିଲ୍ମ ‘ଘୋଷ୍ଟ ଷ୍ଟୋରୀଜ୍‌’ର ଜୋୟା ଅଖତରଙ୍କ ସେଗମେଣ୍ଟରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.