Odisha Link
Bridging the Missing Links in Odisha

ବାନର ରାଜନୀତି: ବିଜେଡି ଛାଡ଼ୁଛନ୍ତି ପୁରୁଖା ନେତା

ନୟାଗଡ଼: ସାଧାରଣତଃ ବାନର ଦଳରେ ଦଳପତି ଥାଏ ଜଣେ ପୁରୁଷ ମାଙ୍କଡ଼। ନୂଆ ପୁରୁଷ ମାଙ୍କଡ଼ ଟିକିଏ ବଡ଼ହେବା ପରେ ସେମାନଙ୍କୁ ଦଳରୁ ବିଦା କରିଦିଏ ଦଳପତି। ଦଳ ଭିତରେ ଅନ୍ୟ କୌଣସି ପୁରୁଷ ମାଙ୍କଡ଼ର ଆଧିପତ୍ୟକୁ ସେ ସହ୍ୟ କରିପାରେନା। ନୟାଗଡ଼ ରାଜନୀତିକୁ ବିଗତ ୧୭ ବର୍ଷ ଧରି ସମଦଶା ପଡ଼ିଛି। ଶାସକ ବିଜୁ ଜନତା ଦଳ ସଙ୍ଗଠନରେ ଅନ୍ୟର ଉତ୍ଥାନକୁ ବରଦାସ୍ତ କରୁନାହାନ୍ତି ଦଳପତି। ଯାହାର ପତିଆରା ଟିକିଏ ବୃଦ୍ଧିପାଉଛି, କ୍ଷମତାରେ ଥିବା ନେତୃତ୍ବ ତୁରନ୍ତ ତାଙ୍କର ପକ୍ଷଛେଦନ କରୁଛନ୍ତି। ଦଳ ନିର୍ବାଚନରେ ସଫଳତାର ଫଳ ଖାଇବା ପରେ ସଫଳତା ଆଣିଥିବା ବ୍ୟକ୍ତିଙ୍କ ଚେର ପ୍ରଥମେ କାଟୁଛି ବୋଲି ଆଲୋଚନା ହେଉଛି। ଉନ୍ନତି ଅଥବା ସଂସ୍କାର ଭୁଲି ଏବେ ବିଜେଡି ନେତୃତ୍ବ ନୟାଗଡ଼ରେ ନିଜ ଲୋକଙ୍କ ଚେର କାଟିବାରେ ଲିପ୍ତ ଥିବା ଚର୍ଚ୍ଚା ହେଉଛି।

୨୦୦୪ ମସିହା ଠାରୁ ଏଭଳି ପକ୍ଷଛେଦନ ଜାରି ରହିଥିବା ବେଳେ ଏଠାରେ ବିଜେଡିର ମଙ୍ଗ ସମ୍ଭାଳିଥିବା ୨୦ରୁ ଅଧିକ ନେତା ଏବେ ଦଳରୁ ବାହାରେ। ଏହାର ସୁଯୋଗ ନେଉଛନ୍ତି ବିରୋଧୀ ଦଳ। ବିଜେଡି ଶିବିର ଛାଡ଼ିଥିବା ବ୍ୟକ୍ତିମାନେ ନେତୃତ୍ବକୁ ଡରି ନିରବ ରହୁଛନ୍ତି ଅଥବା ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି।

ଏକଦା ଦଳର ସମ୍ପଦ ଥିବା ଜିଲ୍ଲା ପରିଷଦ ସଦସ୍ୟ ନସିର ଅହମ୍ମଦଙ୍କ ଘର ନୟାଗଡ଼ରେ ହୋଇଥିଲେ ବି ସେ ସ୍ଥାନୀୟ ନେତୃତ୍ବର ପ୍ରତିହିଂସାପରାୟଣତାର ଶିକାର ହୋଇ ନୂଆଗାଁ ବ୍ଲକରେ ରାଜନୀତି କରୁଛନ୍ତି। ଏକଦା ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ବିଜେଡିର ତୁଙ୍ଗ ନେତା ପ୍ରହଲ୍ଲାଦ ବରାଡ଼ ଦଳ ଛାଡ଼ି ଏବେ ଭାରତୀୟ ଜନତା ପାର୍ଟିର ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟଙ୍କ ଶିବିରରେ ଯୋଗ ଦେଇଛନ୍ତି। ଅନୁରୂପ ଭାବେ ନୟାଗଡ଼ ଏନ୍‌ଏସି ଅଧ୍ୟକ୍ଷା ଥିବା ନିରୂପମା ଖଟେଇ ନେତୃତ୍ବର ଅଦଉତି ସହି ନପାରି ରାଜନୀତିରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ନେଇଛନ୍ତି। ନିରୂପମାଙ୍କ ସ୍ବାମୀ ଶ୍ରୀକାନ୍ତ ଖଟେଇ ବିଜେଡି ଛାଡ଼ି ବିରୋଧୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ଶିବିରରେ ଯୋଗଦେଇଛନ୍ତି। ପୁରୁଣା ଜନତା ଦଳ ତଥା ପରେ ବିଜେଡିର ଜଣେ ଟାଣୁଆ ସଂଗଠକ ଓ ନୟାଗଡ଼ ବଣିକ ସଂଘର ସଭାପତି ଥିବା ପ୍ରଫୁଲ୍ଲ କର ମଧ୍ୟ ନୂଆ ନେତୃତ୍ବର ରୋଷର ଶିକାର ହୋଇ ଦଳଠାରୁ ଦୂରରେ ଅଛନ୍ତି।

ଅନୁରୂପ ଭାବେ ଓଡ଼ଗାଁ ବ୍ଲକ୍‌ର ଟାଣୁଆ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ବିଜେଡି ପ୍ରତି ଅନୁରକ୍ତ ଥିଲେ ବି ନେତୃତ୍ବର ପରାଭବ ସହିନପାରି ନିରବ ଅଛନ୍ତି ଓ ନେତୃତ୍ବ ପରିବର୍ତ୍ତନ ନହେଲେ ସେ ଅନ୍ୟଦଳକୁ ଯିବେ ବୋଲି ସୂଚନା ମିଳୁଛି। ନିକଟରେ ନୟାଗଡ଼ର ପରୀ ଘଟଣାରେ ଚର୍ଚ୍ଚାକୁ ଆସିଥିବା ତତ୍‌କାଳୀନ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ମଧ୍ୟ ଏକଦା ବିଜେଡିର ଟାଣୁଆ ସଂଗଠକ ଥିଲେ। ତେବେ ତାଙ୍କ ଉତ୍‌ଥାନ ଦଳର ଅନ୍ୟ ନେତୃତ୍ବଙ୍କ ପାଇଁ ଅସହଣୀୟ ହେବାରୁ ସେ କ୍ରମଶଃ କୋଣଠେସା ହେବାକୁ ଲାଗିଲେ। ପରୀ ହତ୍ୟାଘଟଣା ସମ୍ପର୍କିତ ଏକ ରାସ୍ତାରୋକ ମାମଲାରେ ତାଙ୍କ ବାପାଙ୍କ ନାମରେ ମାମଲା ହେବା ପରେ ସେ ଖୋଲାଖୋଲି ବିଜେଡି ବିରୋଧୀ ହୋଇ ଯାଇଥିଲେ।

କେବଳ ଏଇ ୬ ଜଣ ନୁହନ୍ତି, ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଗତ ୧୭ ବର୍ଷ ମଧ୍ୟରେ ଏଭଳି ୨୦ରୁ ଅଧିକ ବିଜେଡିର ବଡ଼ନେତାଙ୍କ ପକ୍ଷଛେଦନ କରାଯାଇଛି। ଏହା ଭିନ୍ନ ବିଗତ ୧୭ ବର୍ଷ ମଧ୍ୟରେ ଜିଲ୍ଲାରେ ୫ରୁ ଅଧିକ ରାଜନୈତିକ ହତ୍ୟାକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଗୋଟିଏ ଶବ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ଏସବୁ ପଛରେ ମଧ୍ୟ ବିଜେଡି ନେତୃତ୍ବର ହାତ ରହିଛି ବୋଲି ଅଭିଯୋଗ ହୁଏ।

ସ୍ଥାନୀୟ ବିଜେଡିରେ ଏକକ ଆଧିପତ୍ୟ ଚାହୁଥିବା ଜନୈକ ନେତା ନିଜର ଅଦଉତିକୁ ଦୀର୍ଘସ୍ଥାୟୀ କରିବା ସହ ବିକଳ୍ପମାନଙ୍କୁ ହଟାଇବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଜଣେ ପରେ ଜଣେ ବରିଷ୍ଠ ନେତାଙ୍କୁ ଦଳରୁ ଦୂରେଇ ସେ ଏହାକୁ ଉପରୋକ୍ତ ବାନର ଦଳରେ ପରିଣତ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.