Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆର ସଙ୍କଟମୋଚକ ଦୀପକ, ଦିନେ ତାଙ୍କ କ୍ୟାରିୟରକୁ ନେଇ ଏହି କଥା କହିଥିଲେ ଚାପେଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକାକି ମ୍ୟାଚକୁ ଜିତାଇ ରାତା ରାତି ହିରୋ ପାଲଟିଛନ୍ତି ରାଜସ୍ଥାନର କ୍ରିକେଟ ଖେଳାଳି ଦୀପକ ଚହର। ମଙ୍ଗଳବାର ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ୨ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଘରୋଇ ଶ୍ରୀଲଙ୍କା ଦଳକୁ ୩ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଥିଲା। ଆଉ ମ୍ୟାଚର ସୁପରଷ୍ଟାର ଥିଲେ ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ଦୀପକ ଚହର। ବୋଲିଂ ପରେ ବ୍ୟାଟିଂରେ ଦମଦାର ଇନିଂସ୍‌ ଖେଳି ଟିମ୍‌ ଇଣ୍ଡିଆକୁ ଜିତାଇଥିଲେ ମ୍ୟାଚ୍। ମ୍ୟାଚର ହିରୋ ଦୀପକ ଚହରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚାରେ।

ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ପେସ୍‌ ବୋଲର ଭେଙ୍କଟେଶ ପ୍ରସାଦ ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଏକଦା ଟିମ ଇଣ୍ଡିଆର ପୂର୍ବତନ ଅଷ୍ଟ୍ରେଲିୟ କୋଚ କ୍ରେଗ ଚାପେଲ ଦୀପକ କ୍ରିକେଟ ଖେଳିବାକୁ ଅଯୋଗ୍ୟ ବୋଲି ମତ ଦେଇଥିଲେ। ରାଜସ୍ଥାନ କ୍ରିକେଟ ଏକାଡେମୀର ସିଲେକ୍ସନ କ୍ୟାମ୍ପରେ ଚାପେଲ କହିଥିଲେ ଯେ ଦୀପକଙ୍କ ଉଚ୍ଚତା କ୍ରିକେଟ ଖେଳିବା ପାଇଁ ସଠିକ ନୁହେଁ। ସେ ପୁଣି ଦୀପକଙ୍କୁ ଉପଦେଶ ଦେଇଥିଲେ ଯେ ଦୀପକ କ୍ରିକେଟ ଛାଡି ଅନ୍ୟ କୌଣସି ପେଶାରେ ମନ ନିବେଶ କରନ୍ତୁ। ଏସବୁ ବିଷୟରେ ଏତେ କଥା ଟ୍ୱିଟ କରି ପ୍ରକାଶ କରି ଲେଖିଛନ୍ତି ପୂର୍ବତନ ଭାରତୀୟ ପେସ୍ ବୋଲର ଭେଙ୍କେଟେଶ ପ୍ରସାଦ। ପ୍ରସାଦ ଆହୁରି ମଧ୍ୟ ଲେଖିଛନ୍ତି ଯେ ନିଜ ଉପରେ ବିଶ୍ୱାସ ରଖ, ବିଦେଶୀ କୋଚଙ୍କୁ ଅତି ଗମ୍ଭୀରତାର ସହ ନିଅ ନାହିଁ।

ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଶ୍ରୀଲଙ୍କା ଟିମ୍‌ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ମୋଟ ୨୭୫ ରନ୍‌ କରିଥିଲା। ଯାହାଫଳରେ ଟିମ୍‌ ଇଣ୍ଡିଆ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ ଥିଲା। ଟିମ୍‌ ଇଣ୍ଡିଆ ବିଜୟ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲା। ଦଳ ୧୯୩ ରନରେ ୭ଟି ଓ୍ବିକେଟ ହରାଇ ସଙ୍କଟରେ ଥିବାବେଳେ ଦୀପକ ଚହର ସଙ୍କଟ ମୋଚକ ସାଜି ଦଳକୁ ବିଜୟୀ କରାଇଥିଲେ। ଦୀପକ ଚହର ୮୨ ଟି ବଲ୍‌ ସାମ୍ନା କରି ୬୯ ରନର ଶାନଦାର ଇନିଂସ୍‌ ଖେଳିଥିଲେ। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ ଜିତିବା ସହ ସିରିଜ ମଧ୍ୟ ହାତେଇବାରେ ସଫଳ ହୋଇଛି।

Leave A Reply

Your email address will not be published.