Odisha Link
Bridging the Missing Links in Odisha

BJD: ଦଶପଲ୍ଲା ଓ ଖଣ୍ଡପଡ଼ାରେ ବଢ଼ୁଛି, ନୟାଗଡ଼ରେ ଛିଡ଼ୁଛି

ନୟାଗଡ଼ରେ ବିଜେଡିର ଭୋଟ୍‌ ହାର ଦିନକୁ ଦିନ ହ୍ରାସହେବା, ନୟାଗଡ଼ ସହରାଞ୍ଚଳରେ ବିଜେଡି ପରାଜୟ ବରଣ କରିବା ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଆଉ ବିଜେପି ସମର୍ଥିତ ପ୍ରାର୍ଥୀ ଆଗରେ ରହିବା ବିଜୁ ଜନତା ଦଳ ଓ ଏହାର ସ୍ଥାନୀୟ ନେତୃତ୍ବ ପ୍ରତି ଅଶୁଭ ସଙ୍କେତ ଦେଉଛି।

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ ଦଶପଲ୍ଲା ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ଥିବା ବେଳେ ନୟାଗଡ଼ରେ ଭୋଟ୍‌ ହାର କ୍ରମାଗତ ଭାବେ ଖସିଚାଲିଛି।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡିର ଭୋଟ୍‌ ବ୍ୟାଙ୍କ୍‌ ଦୁର୍ବଳ ହେବାରେ ଲାଗିଛି। ପଞ୍ଚାୟତ ସ୍ତରରେ ବିରୋଧୀ ବିଜେପି ଓ କଂଗ୍ରେସ୍‌ର ମୂଳଦୁଆ ଦୃଢ଼ ହେଉଥିବା ବେଳେ ତରବରିଆ ଭାବେ ଭୋଟ୍‌ ସଂଖ୍ୟା ବଢ଼ାଇବା ଲକ୍ଷରେ ଏବେ ମାରାଥନ୍‌ ପଞ୍ଚାୟତ ଭ୍ରମଣରେ ମାତିଛନ୍ତି ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ।

୨୦୦୯ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅରୁଣ କୁମାର ସାହୁ ୨୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ୨୦୧୪ରେ ଏହି ବ୍ୟବଧାନ ୨୧ ହଜାରକୁ ଖସି ଆସିଥିବା ବେଳେ ୨୦୧୯ରେ ସେ ମାତ୍ର ୧୫ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ଦିନକୁ ଦିନ ନୟାଗଡ଼ରେ ବିଜେଡି ଦୁର୍ବଳ ହେଉଥିବା ବେଳେ ଏହା ପଛରେ ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନଅସନ୍ତୋଷ ଓ ସଂଗଠନ ଭିତରେ ନେତୃତ୍ବ ପ୍ରତି ବିମୁଖତା ପ୍ରମୁଖ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ କଂଗ୍ରେସ ଓ ବିଜେପିର ପ୍ରଦର୍ଶନ ଭଲ ହୋଇଥିଲା। ଏହାର ପ୍ରତ୍ୟକ୍ଷ ପ୍ରତିଫଳନ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡି ଏଠାରେ ହାରିବ ବୋଲି ପ୍ରାୟତଃ ନିଶ୍ଚିତ ହୋଇଯାଇଥିବା ବେଳେ ଓଡ଼ଗାଁ ପଞ୍ଚାୟତରେ ଶେଷ ମୁହୂର୍ତ୍ତରେ ଦଳ ପ୍ରବଳ କସରତ କରି କୌଣସିମତେ କମ ଭୋଟ୍‌ ବ୍ୟଧାନରେ ଜିତି ସମ୍ମାନ ବଞ୍ଚାଇବାରେ ସଫଳ ହୋଇଥିଲା। ନୟାଗଡ଼ ପୌରାଞ୍ଚଳରେ ମଧ୍ୟ ଗତଥର ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ତେବେ ଦଳ କୌଶଳ କରି ପରେ କଂଗ୍ରେସ ପାରିଷଦଙ୍କୁ ନିଜ ପଟକୁ ଆଣିବାରେ ସଫଳ ହୋଇଥିଲା।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଗ୍ରାମାଞ୍ଚଳରେ ଅରୁଣଙ୍କ ପ୍ରତି କୁହୁଳୁଥିବା ଅସନ୍ତୋଷ ଓ ରାଗ ଏଥର ଦଳ ପାଇଁ ନିଆଁଝୁଲ ସାଜିପାରେ। ଏକାଧିକ ରାଜନୈତିକ ହତ୍ୟାକାଣ୍ଡ, ପରୀ ହତ୍ୟା ଘଟଣା ପରେ ସରପଞ୍ଚ ସୌମ୍ୟଙ୍କୁ ପଦରୁ ହଟାଯିବା, ସରପଞ୍ଚମାନଙ୍କୁ ଅଣଦେଖା କରି ଗ୍ରାମାଞ୍ଚଳରେ ମନମୁଖୀ କାର୍ଯ୍ୟାଦେଶ ବଣ୍ଟନ ଓ ବ୍ୟାପକ ପିସି କାରବାର ନେଇ ଖୋଦ୍‌ ଦଳୀୟ କର୍ମୀ ଓ ନେତା ଅସନ୍ତୋଷ ଥିବା ସୂଚନା ମିଳିଛି। ସେପଟେ ୨୦୧୭ରେ ଆଶାତୀତ ସଫଳତା ପାଇଥିବା କଂଗ୍ରେସ ଓ ବିଜେପି ମଧ୍ୟ ଏଥର ପଞ୍ଚାୟତ ଭୋଟ୍‌କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ସାହୁ ଏବେ କିଛିଦିନ ଧରି ମାରାଥନ୍‌ ପଞ୍ଚାୟତ ଗସ୍ତ କରି ଗ୍ରାମାଞ୍ଚଳ ପ୍ରତି ନିଜର ଦରଦ ପ୍ରଦର୍ଶନ କରିବାକୁ କସରତ୍‌ ଆରମ୍ଭ କରିଛନ୍ତି।

ନୟାଗଡ଼ରେ ବିଜେଡି ପକ୍ଷରୁ କ୍ରମାଗତ ଭାବେ ଜଣେ ୪ ଥର ବିଧାୟକ ହୋଇଥିବା ବେଳେ ଭୋଟ୍‌ ବ୍ୟବଧାନ ମଧ୍ୟ କମିକମି ଚାଲିଛି। ୨୦୨୪ରେ ଏହି ବ୍ୟବଧାନ ଆହୁରି ଖସିବ ଓ ଦଳ ପରାଜୟର ସାମନା କରିପାରେ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ଭୋଟର ଏହାର ଝଲକ ଦେଖାଇବାକୁ ସଜ ହେଉଛନ୍ତି।

ଅନ୍ୟପଟେ ଖଣ୍ଡପଡ଼ାରେ ବିଜେଡି ପ୍ରତିଥର ନୂଆ ପ୍ରାର୍ଥି ଦେବା ସହ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହେଉଛି। ଦଶପଲ୍ଲାରେ ୨୦୦୯ ଓ ୨୦୧୪ରେ ବିଜେଡି ଯଥାକ୍ରମେ ୩୯ ହଜାର ଓ ୫୭ ହଜାର ଭୋଟ ବ୍ୟଧାନରେ ବିଜୟୀ ହୋଇଛି। ୨୦୧୪ରେ ନୟାଗଡ଼ର ଭୋଟ ବ୍ୟବଧାନର ପ୍ରାୟ ୩ ଗୁଣା ଭୋଟ ବ୍ୟବଧାନରେ ଜିତିଛନ୍ତି ଦଶପଲ୍ଲା ପ୍ରାର୍ଥୀ। ୨୦୧୯ରେ ମଧ୍ୟ ନୟାଗଡ଼ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନର ପ୍ରାୟ ଅଢ଼େଇଗୁଣ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଦଶପଲ୍ଲାର ବିଜେଡି ପ୍ରାର୍ଥୀ। ସେହିପରି ୨୦୧୯ ନିର୍ବାଚନରେ ବିଜେଡିର ନୟାଗଡ଼ ପ୍ରାର୍ଥୀଙ୍କ ଠାରୁ ୫ ଗୁଣାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଖଣ୍ଡପଡ଼ା ପ୍ରାର୍ଥୀ। ନୟାଗଡ଼ରେ ବିଜେଡିର ଭୋଟ୍‌ ହାର ଦିନକୁ ଦିନ ହ୍ରାସହେବା, ନୟାଗଡ଼ ସହରାଞ୍ଚଳରେ ବିଜେଡି ପରାଜୟ ବରଣ କରିବା ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଆଉ ବିଜେପି ସମର୍ଥିତ ପ୍ରାର୍ଥୀ ଆଗରେ ରହିବା ବିଜୁ ଜନତା ଦଳ ଓ ଏହାର ସ୍ଥାନୀୟ ନେତୃତ୍ବ ପ୍ରତି ଅଶୁଭ ସଙ୍କେତ ଦେଉଛି।

Leave A Reply

Your email address will not be published.