Odisha Link
Bridging the Missing Links in Odisha

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ବାଡ଼ ଖାଉଛି କ୍ଷେତ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଯାଉଛି। ଗତକାଲି ପାରଳାଖେମୁଣ୍ଡି ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି କ୍ଲିନଚିଟ୍‌ ଦେଇସାରିଛନ୍ତି। କ୍ଲିନଚିଟ୍‌ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ।

ସେ କହିଛନ୍ତି, ବାଡ଼ କ୍ଷେତ ଖାଉଛି। ଯଦି ବାଡ଼ ଏମିତି କ୍ଷେତ ଖାଇବ, ତା’ହେଲେ କିଛି କରି ହେବ ନାହିଁ। ଏଠି ପୁଲିସ୍‌ର ଦାୟିତ୍ୱ ହେଉଛି ଉପଯୁକ୍ତ ତଦନ୍ତ କରିବା। ପୁଲିସ୍ ଯଦି ନିଜେ ପ୍ରମାଣ ନଷ୍ଟ କରିବ, ତା’ହେଲେ କିଛି ହେବ ନାହିଁ। ଆଇନ କାନୁନ ସମାଜରୁ ନଷ୍ଟ ହୋଇଯିବ। ଶେଷରେ ‘ଫ୍ୟାକ୍ଟ ଟ୍ରୁ, ନୋ କ୍ଲୁ’ ହୋଇଯିବ।

ଏହାଛଡ଼ା ସେ କହିଛନ୍ତି ଯେ, କର୍ମଚାରୀଙ୍କୁ ପଚାରି, କଲ ଯାଞ୍ଚ କରି ଡିଏଫଓଙ୍କୁ କ୍ଲିନ ଚିଟ ଦେଇଦେଲେ। ଡିଏଫ୍‌ଓ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଯିବାଆସିବା କରିବା ନେଇ ସେହି କ୍ୟାମ୍ପସରେ ରହୁଥିବା କୌଣସି ଲୋକ କେବେ ଦେଖି ନାହାନ୍ତି। ହେଲେ ସେହି କ୍ୟାମ୍ପସରେ ଯେତେ କର୍ମଚାରୀ ରହନ୍ତି, ସମସ୍ତେ ହେଉଛନ୍ତି ଡିଏଫ୍‌ଓଙ୍କ କର୍ମଚାରୀ। ସମସ୍ତେ ତାଙ୍କ ଅଧୀନରେ କାମ କରନ୍ତି। ତେଣୁ ସେ ସୌମ୍ୟଙ୍କ ବାସଭବନକୁ ଯିବାଆସିବା କରିବାର କେହି ଦେଖିଥିଲେ ବି ତାଙ୍କ ବିରୋଧରେ କିଛି କହିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଡିଏଫ୍‌ଓ ସେଠାରେ ଅଛନ୍ତି, କେହି ତାଙ୍କ ବିରୋଧରେ କହିବେ ନାହିଁ।

ଓକିଲ ଶ୍ରୀ ନାୟକ ଆହୁରି କହିଛନ୍ତି, ସିଡିଆର୍‌ (କଲ୍ ଡିଟେଲ୍‌ ରେକର୍ଡ) ଯାଞ୍ଚରୁ ଡିଏଫ୍‌ଓ ଓ ବିଦ୍ୟାଭାରତୀ (ମୃତ ସୌମ୍ୟଙ୍କ ପତ୍ନୀ)ଙ୍କ ମଧ୍ୟରେ ସଂପର୍କ ଥିବା ନେଇ କିଛି ମିଳିଲା ନାହିଁ। କିନ୍ତୁ ପ୍ରଥମ କଥା ହେଉଛି, ଡିଏଫ୍‌ଓ ଓ ମୃତ ଏସିଏଫ୍‌ ଗୋଟିଏ କ୍ୟାମ୍ପସରେ ରହୁଥିଲେ। ଡିଏଫ୍‌ଓ ଯେଉଁ ବଙ୍ଗଳାରେ ରହୁଛନ୍ତି, ତା’ର ପଛ ଗେଟ୍‌ ରହିଛି ସୌମ୍ୟଙ୍କ ଘରର ସାମ୍ନାରେ। ସେଠି ଗୋଟିଏ ଛୋଟ ଗେଟ୍ ଲାଗିଛି ଓ ସେ ଗେଟ୍‌ରେ ତାଲା ପଡ଼େ ନାହିଁ। ଯଦି ବରାବର ଯିବାଆସିବା ହେଉଥିବ, ତା’ହେଲେ ଫୋନ୍‌ରେ କଥାବାର୍ତ୍ତା ହେବାର ଆବଶ୍ୟକତା କାହିଁକି ରହିବ? ବଡ଼ ଅଧିକାରୀଙ୍କୁ ରକ୍ଷା ପାଇଁ ଯେତେ ସବୁ ପ୍ରମାଣ ଅଛି ପୁଲିସ ତାକୁ ନଷ୍ଟ କରୁଛି ବୋଲି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ବଡ଼ ଭାଇ ରଂଜନ ମହାପାତ୍ର କହିଛନ୍ତି, ପୁଲିସ୍‌ ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଉଥିଲେ ବି ସତ କଥା ମୋ ଭାଇ ପୋଡ଼ି କି ମରିଛି। ହେଲେ କେଉଁ ଲିଙ୍କରେ ସେ ମରିଛି ତାକୁ ଖୋଜି ବାହାର କରିବା ପୁଲିସ୍‌ର କାମ। ଆତ୍ମହତ୍ୟା ଯଦି କରିଛି, ସେଥିପାଇଁ କାରଣ ବି ଦରକାର।

ଘରେ ସ୍ୱାମୀ ସ୍ତ୍ରୀ ଥିଲେ ସ୍ୱାମୀ ପୋଡ଼ିଗଲା, ସ୍ତ୍ରୀ ଜାଣିପାରିଲାନି କିପରି। ଘଟଣା ଘଟିବା ପରେ ଘରର ଚାବି ବିଭାଗ ପାଖରେ କାହିଁକି ରହିଥିଲା। ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା। ବ୍ରହ୍ମପୁର ରେଫର ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା କାରଣ କ’ଣ। ବଲାଙ୍ଗିରରେ ବ୍ୟାଚଲର ପାର୍ଟି କଥା କହୁଥିଲୁ, ତାହା ବି ସତ ପ୍ରମାଣିତ ହେଲା ବୋଲି କହିଛନ୍ତି ରଞ୍ଜନ।

Leave A Reply

Your email address will not be published.