Odisha Link
Bridging the Missing Links in Odisha

ହାଇଦର ଏନ୍‌କାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: ହାଇଦର ଏନକାଉଣ୍ଟର ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାର କମିଶନ ।

ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି। ଏଥିପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ଓଏଚଆରସି । ପୂରା ଘଟଣା କଣ ଥିଲା, ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦେଶନାମାରେ କୁହାଯାଇଛି । ଏପରିକି ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ଖବରକୁ ମଧ୍ୟ ରେକର୍ଡ ଭୁକ୍ତ କରିବା କହିଛନ୍ତି ରାଜ୍ୟ ମାନବାଧିକାର କମିଶନ।

ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି ଯେ, ଖସିଯିବାକୁ ଚେଷ୍ଟା କରିବା ବେଳେ ଗତ ୨୪ ତାରିଖରେ ହାଇଦରକୁ ଏନ୍‌କାଉଣ୍ଟର କରାଯାଇଥିଲା। ବାରିପଦା ଜେଲକୁ ନିଆଯାଉଥିବା ବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରିଥିଲା ହାଇଦର। ପୁଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୁଲିସ।

ପୂର୍ବରୁ ଥରେ ଫେରାର ହୋଇଥିବା ବେଳେ ପୋଲିସ ତାକୁ ହାଇଦ୍ରାବାଦରୁ ଧରିବାରେ ସମର୍ଥ ହୋଇଥିବା କଥା କହିଥିଲା। କିନ୍ତୁ ଏଥର ଖସିଗଲେ ଆଉକେହି ଧରିପାରିବେନି ବୋଲି କହିଥିଲା ହାଇଦର। ଏପରିକି ତାକୁ ଧରିବା ପାଇଁ କେହି ଆଗକୁ ବଢିଲେ ଗୁଳି କରିଦେବ ବୋଲି ଧମକ ଦେଇଥିଲା। ପୋଲିସ ଏସଆଇ ଅସିତ ଜେନା ତାକୁ ସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ହେଲେ ସେ ଏସକର୍ଟ ପାର୍ଟି ଉପରକୁ ଗୁଳି କରିବାକୁ ଉଦ୍ୟମ କରିବାରୁ ତାକୁ ନିଜ ସର୍ଭିସ ରିଭଲଭରରୁ ୩ ରାଉଣ୍ଡ ଗୁଳି କରିଥିଲେ ଏସଆଇ ଅସିତ ଜେନା। ଏସକର୍ଟ ପାର୍ଟିର ଜୀବନ ବଂଚାଇବାକୁ ଏହି ଗୁଳି କରାଯାଇଥିବା ଏଫଆଇରରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.