Odisha Link
Bridging the Missing Links in Odisha

ଦିଲ୍ଲୀରେ ମମତା: ବିଜେପି ବିରୋଧୀ ଜାତୀୟ ମେଣ୍ଟକୁ ନେତୃତ୍ବ ଦେବାକୁ ସଜବାଜ!

ନୂଆଦିଲ୍ଲୀ: ଦିଲ୍ଲୀରେ ଦିଦି। ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ହେଉଛନ୍ତି ସଜବାଜ। ଦିଲ୍ଲୀ ଦରବାରରେ ଦେଲେଣି ଖେଳ ହୋବେ ନାରା। ପଶ୍ଚିମବଙ୍ଗ ମନ୍ତ୍ର ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦିଲ୍ଲୀରେ କରୁଛନ୍ତି ବଡ଼ ଯୋଜନା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେବା ପରେ ଜାତୀୟ ରାଜନୀତିରେ ଦବଦବା ଜାହିର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମମତା। ଏଥିପାଇଁ ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଜାତୀୟ ମେଣ୍ଟ ଗଠନ କରିବାକୁ ଜୋରଦାର ପ୍ରସ୍ତୁତି କରିବାରେ ଲାଗିଛନ୍ତି ମମତା। ଏଥିପାଇଁ ଦିଲ୍ଲୀରେ ଯାଇ ପହଁଞ୍ଚିଛନ୍ତି ମମତା। ଲଗାତାର ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଙ୍ଗଳବାର ସାକ୍ଷାତ କରିଛନ୍ତି। ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କମଲନାଥଙ୍କୁ ସାକ୍ଷାତ କରିଥିଲେ ମମତା।

ଦିଲ୍ଲୀରେ ଏବେ ସଂସଦର ମୌସୁମୀ ଅଧିବେଶନ ଚାଲିଛି। ପ୍ରାୟ ସବୁ ଦଳର ନେତା ଓ ସାଂସଦ ଏବେ ରାଜଧାନୀରେ ଅଛନ୍ତି। ତେବେ ବେଶ ସହଜରେ ଏବେ ସବୁ ଦଳର ନେତା ଓ ସାଂସଦଙ୍କ ସହ ସାକ୍ଷାତକରିପାରିବେ ମମତା। ଏହି ଯୋଜନାରେ ସେ ଦିଲ୍ଲୀ ଯାଇଥିବା ସୂଚନା ରହିଛି। କେବଳ ସେତିକି ନୁହେଁ ମମତା ଏହି ୫ ଦିନିଆ ଦିଲ୍ଲୀ ଗସ୍ତରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଆନନ୍ଦ ଶର୍ମା, ଅଭିଷେକ ମାନୁ ସିଙ୍ଘଭୀ, ଶରଦ ପାଓ୍ବାରଙ୍କ ଭଳି ପାଓ୍ବାରଫୁଲ ନେତାଙ୍କୁ ସାକ୍ଷାତ କରିବାର ଯୋଜନା କରିଛନ୍ତି ମମତା ବାନାର୍ଜୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଦଳ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱାଧୀନ ବିଜେପିକୁ କେନ୍ଦ୍ର କ୍ଷମତାରୁ ବେଦଖଲ କରିବାକୁ ହେଲେ ବିରୋଧୀ ଦଳଙ୍କୁ ଏକଜୁଟ ହେବାକୁ ପଡିବ ବୋଲି ମମତା ଅନେକ ଥର କହିଛନ୍ତି। ଗତ ମେ ୫ ତାରିଖରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ବିଜେପିକୁ କେନ୍ଦ୍ର କ୍ଷମତାରୁ ତଡିବା ଲାଗି ବିଖିପ୍ତ ବିରୋଧୀଙ୍କୁ ଏକଜୁଟ କରିବାକୁ ମମତା ପୋଲ ଭଳି କାମ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ।

ତେବେ ମିଳିତ ବିରୋଧୀ ଦଳଙ୍କୁ ଏକ କରିବା ମମତାଙ୍କର ଏହା ପ୍ରଥମ ଉଦ୍ୟମ ନୁହେଁ। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ମମତା ଥରେ ଉଦ୍ୟମ କରିସାରିଥିଲେ। ହେଲେ ସେତେବେଳେ ନିର୍ବାଚନ ଖୁବ୍ ନିକଟରେ ଥିବା ବେଳେ ଦଳମାନଙ୍କ ମଧ୍ୟରେ ନିର୍ବାଚନୀ ତାଳମେଳ ରହିପାରିନଥିଲା। ଫଳରେ ବିରେଧୀଙ୍କ ବିକ୍ଷିପ୍ତ ସ୍ଥିତି କେନ୍ଦ୍ର ଶାସନରେ ବିଜେପିକୁ ପୁଣି ଏକ ମଉକା ଦେଇଥିଲା।

ଅନ୍ୟପଟେ ମମତାଙ୍କ ନେତୃତ୍ୱାଧୀନ ପାର୍ଟି ନିକଟରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଅଛନ୍ତି। ଯିଏ ଆଗାମୀ ସମୟ ଲାଗି ସବୁଠୁ ଲାଭଜନକ ସାବ୍ୟସ୍ତ ହୋଇପାରନ୍ତି। ନିକଟରେ ପ୍ରଶାନ୍ତ କିଶୋର ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାରଙ୍କୁ ଭେଟିଥିବା ବେଳେ ସାମାନ୍ୟ ଅନ୍ତରାଳରେ ଦିଲ୍ଲୀରେ ପ୍ରିୟଙ୍କା ଭଦ୍ରା ଓ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ। ଏଥିରୁ ବିଭିନ୍ନ ପାର୍ଟିର ନେତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ତାଳମେଳକୁ ନେଇ ତୃଣମୂଳ ସେହି ସବୁ ଦଳଙ୍କୁ ଗୋଟିଏ ଟେବୁଲକୁ ନେଇ ଆସି ପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।

Leave A Reply

Your email address will not be published.