ପୁରୀ ବେଳାଭୂମିରୁ ପ୍ରତ୍ୟାହାର ହେଲା ବିଚ୍ ସ୍ୟାକ୍ସ ଯୋଜନା
ପୁରୀ: ପୁରୀ ବେଳାଭୂମିରୁ ପ୍ରତ୍ୟାହାର ହେଲା ବିଚ୍ ସ୍ୟାକ୍ସ ଯୋଜନା। ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ। ବିଭିନ୍ନ ସଂଗଠନର ପ୍ରତିବାଦ ପରେ ନିଷ୍ପତ୍ତି ବଦଲାଇଲା ପ୍ରଶାସନ। ଗୋଆ ଭଳି ପୁରୀରେ ମଦ କୁଡ଼ିଆ ପାଇଁ ଯୋଜନା କରାଯାଇଥିଲା। ପରେ ପୁରୀରେ କାର୍ଯ୍ୟକାରୀ ହେବନି ବିଚ୍ ସ୍ୟାକ୍ସ ଯୋଜନା। ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କଲା ଜିଲ୍ଲା ପ୍ରଶାସନ।
ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା। ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା।
ଅନ୍ୟପଟେ ଶ୍ରୀକ୍ଷେତ୍ର ଭଳି ଜାଗାରେ ଓଟିଡିସି ପର୍ଯ୍ୟଟନର ବିକାଶ ନାଁରେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଥିଲେ ପୁରୀର ବିଭିନ୍ନ ସଂଗଠନ। ଏଭଳି ଯୋଜନାକୁ ଜମା ବି ପୁରୀ ସହରରେ କରାଇ ଦିଆଯିବ ନାହିଁ ବୋଲି ବିଭିନ୍ନ ସଂଗଠନ କହିଥିଲେ। ଏଥିପାଇଁ ୫୦ରୁ ଅଧିକ ସଂଗଠନ ଏକାଠି ହୋଇଥିବା ବେଳେ ଏନେଇ ପୁରୀ ଜିଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ ପାଇଁ ଦାବି କରାଯାଇଥିଲା।
ସେପଟେ ଅଧ୍ୟାତ୍ମିକ ଓ ଧାର୍ମିକ ନଗରୀ ଶ୍ରୀକ୍ଷେତ୍ରର ମହୋଦଧି କୂଳରେ ଏପରି ମଦ୍ୟପାନ ବ୍ୟବସ୍ଥା ବନ୍ଦ କରିବାକୁ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୁରୀ ବେଳାଭୂମିରେ ମଦ କୁଟୀର ପ୍ରତିଷ୍ଠାରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ କହିଥିଲେ।