Odisha Link
Bridging the Missing Links in Odisha

ଦାନରେ ଦିଆଯିବ ମହାପ୍ରଭୁଙ୍କ ରଥ ଚକ ଓ ଅନ୍ୟାନ୍ୟ ଅଂଶ

ପୁରୀ: ରଥଯାତ୍ରା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଖରେ ଖତ ଖାଉଛି ମହାପ୍ରଭୁଙ୍କ ତିନିରଥର ଏକାଧିକ ଚକ। ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟରେ କେହି ଏସବୁକୁ ନକିଣିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହା ଖତ ଖାଉଛି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ, ଶ୍ରୀଗୁଣ୍ଡିଚା ମନ୍ଦିରରେ ପଡି ନଷ୍ଟ ହେଉଥିବା ରଥ ଚକ, ଗୁଜ ଆଦିକୁ ଦାନ ସୂତ୍ରରେ ଦେବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ।

ରଥ ଚକ ଓ ଅନ୍ୟାନ୍ୟ ଅଂଶକୁ ବିଭିନ୍ନ ମଠ, ମନ୍ଦିର ,ଧାର୍ମିକ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ଦାନ ସୂତ୍ରରେ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଏଥିପାଇଁ ପ୍ରଶାସନ, ପରିଚାଳନା କମିଟି ଓ ସେବାୟତଙ୍କୁ ନେଇ ବସିଥିବା ସ୍ୱତନ୍ତ୍ର ବୈଠକରେ ଏକ ସ୍ୱତନ୍ତ୍ର ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ରଥଚକ କେଉଁମାନଙ୍କୁ ଦାନ କରାଯିବ ସେଥିପାଇଁ ଚିଠାରେ ବ୍ୟବସ୍ଥା କରାଯାଇଛି।

ତେବେ ରଥ ଚକ ନେବାକୁ ଆବେଦନ କରିବାକୁ ପଡିବ। ଏଥିପାଇଁ ନିର୍ଦ୍ଧିଷ୍ଟସୀମା ରହିବ। ଆବେଦନପତ୍ରକୁ ତର୍ଜମା କରିବା ପରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନ ସୂତ୍ରରେ ଦିଆଯିବ ସେହିପରି ଯେଉଁମାନେ ଏସବୁକୁ ଦାନସୂତ୍ରରେ ଗ୍ରହଣ କରିବେ ସେମାନଙ୍କ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସଂରକ୍ଷଣ ନିୟମକୁ ମାନିବାକୁ ପଡିବ।

୨୦୧୭ ମସିହାରେରେ ରଥ ଚକ ଓ ବିଭିନ୍ନ ଅଂଶକୁ ବିକ୍ରି କରିବା ପାଇଁ ଦର ଧାର୍ଯ୍ୟ ହୋଇଥିଲା। ରଥ ଚକର ଦାମ ୫୦ ହଜାର ଟଙ୍କା, ପ୍ରଭା ୨୫ ହଜାର ଟଙ୍କା ଓ ଗୁଜ ୧୦ ହଜାର ଟଙ୍କା ରଖାଯାଇଥିଲା। ଇଛୁକ ଭକ୍ତ ବା ଅନୁଷ୍ଠାନ ଧାର୍ଯ୍ୟ କରିଥିବା ଟଙ୍କା ଦେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ରଥର ଅଂଶ କିଣୁଥିଲେ ଭକ୍ତ। କିନ୍ତୁ କିଛି ବର୍ଷ ହେବ ଭକ୍ତ ରଥ ଚକ ଓ ଅନ୍ୟାନ୍ୟ ଅଂଶକୁ କିଣିବାକୁ ଅନିଛା ପ୍ରକାଶ କରିବାରୁ ବିକ୍ରି ନହେବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଡି ଖତ ଖାଉଛି ରଥ ଚକ ଓ ଅନ୍ୟାନ୍ୟ ଅଂଶ।

Leave A Reply

Your email address will not be published.