Odisha Link
Bridging the Missing Links in Odisha

କୁବେର ପିଏସ୍‌ ବିରଞ୍ଚି ସାହୁ ଗିରଫ, ଏପର୍ଯ୍ୟନ୍ତ ଠାବ ହେଲାଣି ସାଢ଼େ ୩ କୋଟିରୁ ଅଧିକ ସମ୍ପତ୍ତି

ଭୁବନେଶ୍ବର: ଗିରଫ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କୁବେର ପିଏସ୍‌ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଇଥିଲା। ରେଡ୍‌ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା। ସେହିଭଳି ତାଙ୍କ ଘରୁ ନିଯୁକ୍ତି ସଂପର୍କିତ ବହୁ ଆବେଦନ ପତ୍ର ଓ ଆଡ୍‌ମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ତା’ ସହିତ ୧୪ଟି ପ୍ଲଟ୍ ଓ ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘର ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ।

ସବୁ ଠାରୁ ବଡ଼ କଥା ହେଲା ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତ ଶ୍ରୀ ସାହୁ ରଖିଥିବା ଜଣାପଡିଛି। ଶ୍ରୀ ସାହୁ କରୋନା ମହାମାରୀ ସମୟରେ ୨ ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି। ଏଥି ସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍‌ ମଧ୍ୟ ଠାବ କରାଯାଇଛି।ଗତ କିଛି ମାସ ତଳେ ଏସ୍‌ଏସ୍‌ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା। ଶ୍ରୀ ସାହୁ ଓ ତାଙ୍କର କିଛି ଖାସ୍‌ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍‌ କରୁଥିଲେ। ହେଲେ ଭିଜିଲାନ୍ସ ଏମାନଙ୍କୁ ଧରିବା ପୂର୍ବରୁ ଖସି ଯାଇଥିଲେ। ସେବେଠାରୁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା।

Leave A Reply

Your email address will not be published.