Odisha Link
Bridging the Missing Links in Odisha

୧୬ରୁ ଖୋଲିବ ବଡ଼ଦେଉଳ, ୨୩ରୁ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତା ୧୬ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ। ହେଲେ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ। ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ। ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ। ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ।

୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ଏହାପରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ୨୧ ଓ ୨୨ ତାରିଖ ଶ୍ରୀମନ୍ଦିର ବନ୍ଦ ରହିବ। ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ବିଶୋଧିତ କରାଯିବ। ୨୩ ତାରିଖରୁ ସର୍ବସାଧାରଣ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଏଥିପାଇଁ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ପ୍ରବେଶ ପାଇଁ ୯୬ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ପ୍ରମାଣପତ୍ର ଜରୁରୀ। କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ୍‌ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା।

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଗତକାଲି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମ୍‌ଓ ଡା. ସୁଜାତା ମିଶ୍ର ଏବଂ ଏସ୍‌ପି କେ. ବିଶାଲ୍‌ ସିଂଙ୍କ ସମେତ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର କୋଭିଡ୍‌ କମିଟିର ସଦସ୍ୟ ଏବଂ ଛତିଶା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଆସନ୍ତା ୧୬ ତାରିଖରେ ବଡ଼ଦେଉଳ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.