Odisha Link
Bridging the Missing Links in Odisha

ଅଲିମ୍ପିକ୍ସ ବ୍ରୋଞ୍ଜ ମୁକାବିଲା: ୩-୪ ଗୋଲ୍‌ରେ ଭାରତୀୟ ମହିଳା ହକି ଟିମ୍‌ର ସଂଘର୍ଷପୂର୍ଣ୍ଣ ପରାଜୟ

ଟୋକିଓ: ଭାରତୀୟ ମହିଳା ହକି ଟିମ୍‌ର ସଂଘର୍ଷପୂର୍ଣ୍ଣ ପରାଜୟ। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ କଡ଼ା ମୁକାବିଲାରେ ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଲା ଭାରତୀୟ ମହିଳା ହକି ଟିମ୍‌। ଚତୁର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଟିମର ଟୋକିଓ ଅଲିମ୍ପିକ୍ସ ପଦକ ଆଶା। ବ୍ରୋଞ୍ଜ ଜିତି ଟୋକିଓ ଅଭିଯାନ ଶେଷ କରିଛି ଗ୍ରେଟ ବ୍ରିଟେନ୍।

 ମ୍ୟାଚ୍ ହାରି ବି ହୃଦୟ ଜିତିଛି ଭାରତୀୟ ମହିଳା ଦଳ। ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ ପାଇଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ ହୋଇଥିଲା। ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଭାରତ ଉପରେ ଏହି ଗୋଲ୍ ଦେଇଥିଲେ ହୋଲି ୱେବ୍। ଏହା ସହିତ ଦଳ ଖେଳକୁ ୩-୩ ସ୍ଥିତିକୁ ନେଇ ଆସିଥିଲା।ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା

ଏହା ପରେ ଗ୍ରେଟ୍ ବ୍ରିଟେନ୍‌କୁ ଆଉ ଗୋଲ୍ କରିବାକୁ ସୁଯୋଗ ଦେଇ ନଥିଲା ଭାରତୀୟ ଦଳ। କିନ୍ତୁ ଗ୍ରେଟ୍ ବ୍ରିଟେନ୍ ଉପରେ ଗୋଲ୍ ଦେବାରେ ବି ବିଫଳ ହୋଇଥିଲା। ଶେଷରେ ୪-୩ ଲିଡ୍‌ରେ ରହି ମ୍ୟାଚ୍ ଜିତି ଯାଇଥିଲା ଗ୍ରେଟ୍ ବ୍ରିଟେନ୍‌। ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମି ଫାଇନାଲରେ ପହଞ୍ଚିଥିଲା ଭାରତୀୟ ମହିଳା ହକି ଟିମ୍।

Leave A Reply

Your email address will not be published.