Odisha Link
Bridging the Missing Links in Odisha

ଜିକା ଭାଇରସ ଆତଙ୍କ, ୭୯ ଗାଁରେ ସଂକ୍ରମଣ ଆଶଙ୍କା

ପୁଣେ: କରୋନା ପରେ ଏବେ ଜିକା ଭାଇରସ ଆତଙ୍କ। ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣେରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁ ରେ ଜିକା ଭାଇରସ ଆଶଙ୍କା ରହିଥିବା କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଁକୁ ଆଲର୍ଟ କରାଯାଇଥିବା ବେଳେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆବଶ୍ୟକ ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ପରୀକ୍ଷା କରାଯିବ।

ପୁଣେର ବେଲସର ଗାଁରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ବର୍ତ୍ତମାନ ଜିକା ଭାଇରସ ତାହାର କାୟା ମେଲାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାପାଳ ଡାକ୍ତର ରାଜେଶ ଦେଶମୁଖ କହିଛନ୍ତି, ପୁଣେର ପ୍ରାୟ ୭୯ଟି ଗାଁରେ ଡେଙ୍ଗୁ ଏବଂ ଚିକୁନଗୁନିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଜିକା ଭାଇରସ ବ୍ୟାପିବାକୁ ଆଶଙ୍କା ଥିବା ଜିଲ୍ଲାଗୁଡିକରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଯଦି ଉକ୍ତ ଗାଁ ଗୁଡିକରୁ ଅଧିକ ସଂଖ୍ୟକ ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେଠାରେ ଜିକା ଭାଇରସ ନେଇ ରକ୍ତ ନମୂନା ପରୀକ୍ଷା କରାଯିବ। ଏହା ସହିତ ସଂପୃକ୍ତ ଅଞ୍ଚଳଗୁଡିକରେ ସଫେଇ କାର୍ଯ୍ୟ ଏବଂ ସାନିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହେବ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ, ମଶାମାନଙ୍କ ଦ୍ବାରା ହିଁ ଜିକା ଭାଇରସ ବ୍ୟାପିଥାଏ। ଏହା ଦ୍ବାରା ଡେଙ୍ଗୁ ଏବଂ ଚିକୁନଗୁନିଆ ମଧ୍ୟ ବ୍ୟାପିଥାଏ। ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଏହି ସବୁ ମଶା ଦେଖାଯାଆନ୍ତି। ସେହି ମଶା ଜିକା ଭାଇରସ ବ୍ୟାପକ ଭାବେ ବିସ୍ତାର କରିଥାନ୍ତି।

Leave A Reply

Your email address will not be published.