Odisha Link
Bridging the Missing Links in Odisha

ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବାଲିକୁଦା: ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ରାତିସାରା ମୃତଦେହ ପାଖରେ ଶୋଇ ରହିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତ ଦେବଗ୍ରାମ ଗାଁରେ।

ସ୍ୱାମୀ ପ୍ରତିଦିନ ମଦ ସହ ବ୍ରାଉନ୍‌ସୁଗର୍‌ ଓ ଅନ୍ୟାନ୍ୟ ନିଶା ସେବନ କରି ଘରକୁ ଫେରୁଥିବାରୁ ସ୍ତ୍ରୀ ଏହାକୁ ବିରୋଧ କରୁଥିଲା। ଶେଷକୁ ମଦ ନିଶାରେ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଦେଲା ସ୍ୱାମୀ। ଅଳାଭର ପଞ୍ଚାୟତ ରଣପୁର ଗାଁର ରମେଶ ପାଣିଙ୍କ ଝିଅ ଲିଜା (୩୦) ହତ୍ୟାର ଶିକାର ହୋଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି ଲିଜାଙ୍କ ବାପା ରମେଶ। ପୁଲିସ ସ୍ୱାମୀ ଶୁଭେନ୍ଦୁ ସ୍ୱାଇଁକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଆଳିପିଙ୍ଗଳ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗତ ଶନିବାର ରାତିରେ ଲିଜାଙ୍କର ରହସ୍ୟମୟ ଭାବେ ମୃତ୍ୟୁ ଘଟିଛି। ରାତି ପ୍ରାୟ ୩ଟାରେ ଲିଜା ନିଜ ଶୋଇବା ଘର ଫ୍ୟାନ୍‌ରେ ଲୁଗା ପଣତକୁ ବେକରେ ଛନ୍ଦି ଆତ୍ମହତ୍ୟା କରିଥିବା ଓ ସ୍ୱାମୀ ଶୁଭେନ୍ଦୁ ଫ୍ୟାନରୁ ପଣତକୁ ଦା’ରେ କାଟି ମୃତଦେହ ତଳକୁ ଓହ୍ଲାଇଥିବା ନିଜେ ଶୁଭେନ୍ଦୁ ପୁଲିସ ଆଗରେ କହିଛି। ହେଲେ ନା ସେ ପତ୍ନୀଙ୍କୁ ଡାକ୍ତରଖାନା ନେଇଥିଲା ନା ଏ ସଂପର୍କରେ ଅନ୍ୟ କାହାରିକୁ ଜଣାଇଥିଲା।

ଏଥିସହ ନିଶା ଖାଇ ସ୍ତ୍ରୀର ଶବ ପାଖରେ ଖଟରେ ରାତି ସାରା ଶୋଇଯାଇଥିଲା। ସକାଳେ ପୁଲିସ ଟିମ୍‌ ଖବର ପାଇ ତଦନ୍ତ କରିବାକୁ ଯାଇ ଶୁଭେନ୍ଦୁକୁ ଉଠାଇଥିଲା ଓ ଥାନାକୁ ଆଣି ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଥିଲା। ଝିଅର ମୃତ୍ୟୁ ଖବର ପାଇ ବାପା ରମେଶ ବାଲିକୁଦା ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

Leave A Reply

Your email address will not be published.