Odisha Link
Bridging the Missing Links in Odisha

ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା, କାହା ନିର୍ଦ୍ଦେଶରେ ହୋଇଥିଲା ସୌମ୍ୟଙ୍କ ଜମାନବନ୍ଦୀ

ଗଜପତି: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍। ପୋଲିସ ଏକ ମାସ ଧରି ତଦନ୍ତ କରି ବିଫଳ ହେବା ବେଳେ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣା ସହ ଜଡିତ ଜଣ ଜଣଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଏହାରି ମଧ୍ୟରେ ମେଡିକାଲର ତିନି ଡାକ୍ତରଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍।

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହତ୍ୟା, ଆତ୍ମହତ୍ୟା ନା ଅଘଟଣ, ଘଟଣାର ସବୁ ଦିଗକୁ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ। ପୋଡ଼ି ହେବା ପରେ ସୌମ୍ୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତର ଓ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ଡିଏମ୍ଓ ପ୍ରମୋଦ କୁମାର ପଣ୍ଡା, ଡାକ୍ତର କିଶୋର ଚନ୍ଦ୍ର ବେହେରା ଏବଂ ଅଭିଳାଷ ପଣ୍ଡାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ହସପିଟାଲକୁ ଆସିବା ବେଳେ କିଭଳି ସ୍ଥିତିରେ ଥିଲେ ସୌମ୍ୟ? ସୌମ୍ୟଙ୍କ ଶରୀରର କେତେ ଅଂଶ ପୋଡି ହୋଇଥିଲା? ମୃତ୍ୟୁକାଳୀନ ଜମାନବନ୍ଦୀ ଦେବା ସ୍ଥିତିରେ ଥିଲେ କି? ହସପିଟାଲରେ ଥିବା ସମୟରେ ଘରେ କାହା ସହ ଫୋନ୍‌ରେ କଥା ହୋଇଥିଲେ?
ଚିକିତ୍ସା କରିବା ସମୟରେ ଘଟଣା ନେଇ କିଛି କହିଥିଲେ କି ସୌମ୍ୟ? ମେଡିକାଲରେ ସୌମ୍ୟଙ୍କୁ କିପରି ଚିକିତ୍ସା କରିଥିଲେ? ହସପିଟାଲ୍‌ ଆଣିବାରେ ବିଳମ୍ବ ହୋଇଥିଲା କି? ଏଭଳି ପ୍ରଶ୍ନ ମୁଖ୍ୟତଃ କ୍ରାଇମବ୍ରାଞ୍ଚର ଫୋକସ୍‌ରେ ରହିବ। ଏହାବାଦ ଡାକ୍ତରଙ୍କୁ ପଚରାଉଚରା ପରେ ଆଜି ଅପରାହ୍ନରେ ତହସିଲଦାରଙ୍କୁ ବି ଜେରା ପାଇଁ ଡକାଯାଇପାରେ ବୋଲି ଆଲୋଚନା ହେଉଛି।

ଗତ ଦୁଇ ଦିନ ଧରି ସୌମ୍ୟଙ୍କ ସହଯୋଗୀ ଏସିଏଫ୍, ବନ କର୍ମଚାରୀ, ରୋଷେୟା ଓ ରାତ୍ରି ଜଗୁଆଳିଙ୍କୁ ଜେରା କରାଯାଇଛି। ସୌମ୍ୟଙ୍କ ସରକାରୀ ବାସଭବନରେ ତନ ତନ କରି ଯାଞ୍ଚ କରିବା ସହ ତଦନ୍ତକାରୀ ଅଧିକାରୀଙ୍କଠାରୁ ଦସ୍ତାବିଜକୁ ଅନୁଧ୍ୟାନ କରାଯାଇଛି। ଆସନ୍ତାକାଲି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.