Odisha Link
Bridging the Missing Links in Odisha

ନୟାଗଡ଼: କଳାବଜାରରେ ସାର

ଟେଣ୍ଡର ଓ ମିଛ ବିଲ୍‌ ମାଧ୍ୟମରେ ଦୁର୍ନୀତି, ବ୍ୟାପକ ପିସି କାରବାର, ପାହାଡ଼ରୁ ବେଆଇ ପଥର ବିକ୍ରି ଆଦି ମାଧ୍ୟମରେ ଏବେ ନୟାଗଡ଼ରେ ପଞ୍ଚାୟତ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରାଯାଇ ଯେନତେନ ଉପାୟରେ ଭୋଟ୍‌ ଭାଗ ବଢ଼ାଇବାକୁ କସରତ୍‌ ଚାଲିଥିବା ବେଳେ ରାଜନେତାଙ୍କ ଲୋଲୁପ ଚାହାଣିରୁ ଗରୀବ ଚାଷୀ ମଧ୍ୟ ବାଦ ପଡ଼ିନାହାନ୍ତି।

ନୟାଗଡ଼: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏଥିପାଇଁ ପାଣ୍ଠିସଂଗ୍ରହ ଲାଗି ରାଜନେତାମାନେ ଅଭିଯାନ ଆରମ୍ଭ କଲେଣି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ପିସି କାରବାର, ବେଆଇନ ଭାବେ ପାହାଡ଼ ଭାଙ୍ଗି ବିକ୍ରି କରିବା ଓ ମିଥ୍ୟା ବିଲ୍‌ ମାଧ୍ୟମରେ ପାଣ୍ଠିଯୋଗାଡ଼ ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଗରିବ ଚାଷୀଙ୍କ ଟଙ୍କା ଉପରେ ନେତାଙ୍କର ନଜର ପଡ଼ିଛି। ଖୋଦ୍‌ କୃଷିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାର କଳାବଜାରୀ ହେଉଥିବା ବେଳେ ଦୁଇଗୁଣାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୃଷିସାମଗ୍ରୀ କଳାବଜାରୀ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ କୃଷି ବିଭାଗ କିମ୍ବା ଜିଲ୍ଲାପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏ ନେଇ ଚାଷୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଗକୁ ସେମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ବିଭାଗୀୟ ମନ୍ତ୍ରୀ ଥାଇ ମଧ୍ୟ ବିଭାଗ ସେମାନଙ୍କ ଦୁଃଖ ବୁଝୁନଥିବାରୁ ଏହା ପଛରେ ମନ୍ତ୍ରୀଙ୍କର ସମ୍ମତି ଥିବା ଅଭିଯୋଗ ହେଉଛି।

କେନ୍ଦ୍ର ସରକାର ସାରର ନିୟନ୍ତ୍ରିତ ଦର ଘୋଷଣା କରିଥିଲେ ହେଁ ନୟାଗଡ଼ରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଖବର ଅନୁସାରେ ଓଡ଼ଗାଁ ବ୍ଲକ୍‌‌ରେ ୟୁରିଆ ଓ ଅନ୍ୟାନ୍ୟ ସାର ବ୍ୟାପକ ଚଢ଼ାଦରରେ ବିକ୍ରି ହେଉଛି। କୌଣସି ଘରୋଇ ବ୍ୟବସାୟୀ ନୁହନ୍ତି, ବରଂ ସରକାରୀ ସଂସ୍ଥା ପକ୍ଷରୁ ଏଭଳି ହେଉଥିବା ଅଭିଯୋଗ ଆସିଛି। ୟୁରିଆ ସାର ୪୫ କେଜି ବସ୍ତାର ସରକାରୀ ଦର ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ୪୩୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଯେଉଁମାନେ ଦର ବାବଦରେ ଯୁକ୍ତି ବାଢ଼ୁଛନ୍ତି ସେମାନଙ୍କୁ “ସରକାରୀ ଦୋକାନରେ ସାର ନାହିଁ” କହି ଫେରାଇ ଦିଆଯାଉଛି।

କେବଳ ଓଡ଼ଗାଁ ବ୍ଲକ୍‌ ନୁହେଁ, ନୟାଗଡ଼ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ନଛିପୁର, ଇକିରି, ବାଲୁଗାଁ ଆଦି ଅଞ୍ଚଳରେ ବ୍ୟାପକ ସାର କଳାବଜାରୀ ହେଉଥିବା ସ୍ଥାନୀୟ ଗଣମାଧ୍ୟମ ସବୁରେ ପ୍ରକାଶ ପାଇଛି। ଅସହାୟ ଚାଷୀମାନେ ଗଣମାଧ୍ୟମ ଆଗରେ ମୁହଁଖୋଲି ନିଜର ଅସୁବିଧା ଜଣାଉଥିଲେ ହେଁ କୃଷିମନ୍ତ୍ରୀଙ୍କ ଚାପରେ ଥିବା ପ୍ରଶାସନ ଆଗରେ ପରାସ୍ତ ହେଉଛନ୍ତି।

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀ ସାହୁଙ୍କର ଭୋଟ୍‌ ହାର କ୍ରମାଗତ ଭାବେ କମୁଥିବା ବେଳେ ଏହାର ପ୍ରଭାବ ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା। ପଞ୍ଚାୟତ ନିର୍ବାଚନରେ ବିରୋଧୀ କଂଗ୍ରେସ ଓ ବିଜେପିର ସମର୍ଥିତ ପ୍ରାର୍ଥୀଙ୍କ ଭୋଟ୍‌ ଭାଗ ବଢ଼ିଥିବା ବେଳେ ଏହା ବିଜେଡିର ସ୍ଥାନୀୟ ନେତୃତ୍ବ ପ୍ରତି ଖୋଲା ଆହ୍ବାନ ଥିଲା। ଏହାର ପ୍ରଭାବରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଶ୍ରୀ ସାହୁଙ୍କ ଭୋଟ୍‌ ବିଜୟ ବ୍ୟବଧାନ ୬ ହଜାର କମଯାଇଥିଲା। ଟେଣ୍ଡର ଓ ମିଛ ବିଲ୍‌ ମାଧ୍ୟମରେ ଦୁର୍ନୀତି, ବ୍ୟାପକ ପିସି କାରବାର, ପାହାଡ଼ରୁ ବେଆଇ ପଥର ବିକ୍ରି ଆଦି ମାଧ୍ୟମରେ ଏବେ ନୟାଗଡ଼ରେ ପଞ୍ଚାୟତ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରାଯାଇ ଯେନତେନ ଉପାୟରେ ଭୋଟ୍‌ ଭାଗ ବଢ଼ାଇବାକୁ କସରତ୍‌ ଚାଲିଥିବା ବେଳେ ରାଜନେତାଙ୍କ ଲୋଲୁପ ଚାହାଣିରୁ ଗରୀବ ଚାଷୀ ମଧ୍ୟ ବାଦ ପଡ଼ିନାହାନ୍ତି।

ଚାଷୀଙ୍କ ସମସ୍ୟା ନେଇ ବିଧାୟକ ଶ୍ରୀ ସାହୁଙ୍କ ଭୁବନେଶ୍ବର ବାସଭବନ ଆଗରେ କଂଗ୍ରେସ ଧାରଣା ଦେବ ବୋଲି ଦଳର ଜିଲ୍ଲା ସଭାପତି ରଣଜିତ ଦାଶ ସୂଚନା ଦେଇଛନ୍ତି।

Leave A Reply

Your email address will not be published.