Odisha Link
Bridging the Missing Links in Odisha

କଂଗ୍ରେସରେ କନ୍ଦଳ: ବିଧାୟକ ପଦ ଛାଡ଼ିବାକୁ ତାରାଙ୍କ ଚେତାବନୀ, ହାତ ଛାଡ଼ିବାକୁ ପତ୍ନୀ ମିନାକ୍ଷୀଙ୍କ ଧମକ

ଭୁବନେଶ୍ବର: ପଦାରେ ପଡ଼ିଲା କୋରାପୁଟ କଂଗ୍ରେସର କନ୍ଦଳ। କରୋନାରୁ ସୁସ୍ଥ ହେବା ପରେ ବିଧାୟକ ପଦ ଛାଡ଼ିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦେଲେ ଚେତାବନୀ। କଂଗ୍ରେସରେ ଲାଗି ରହିଥିବା କନ୍ଦଳକୁ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କଲେ ତାରା।

ବୁଧବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଦଳରେ ବିଶୃଙ୍ଖଳାକାରୀଙ୍କୁ ନିରଞ୍ଜନ ପଟ୍ଟନାୟକ ସମର୍ଥନ କରୁଛନ୍ତି। ସେ ପିସିସି ସଭାପତି ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହିବା ସହ ନିରଞ୍ଜନଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ତାରା ବାହିନୀପତି। ତାଙ୍କ ପାଇଁ ରାଜ୍ୟରେ ଆଜି କଂଗ୍ରେସ ନିଶ୍ଚିହ୍ନ ହୋଇଛି। ଏହା ସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ବ୍ଲାକମେଲ୍ କରୁଛନ୍ତି। ଖୁବଶୀଘ୍ର ଅଡିଓ ଟେପ୍ ଜାରି କରି ମିଡିଆ ଆଗରେ ପ୍ରମାଣ ଦେବି ବୋଲି ସେ କହିଛନ୍ତି।

କେବଳ ସେତିକି ନୁହେଁ ବିଧାନସଭା ଅଧିବେଶନ ପୂର୍ବରୁ ଦଳୀୟ କନ୍ଦଳର ସମାଧାନ ନହେଲେ ବିଧାୟକ ପଦ ଛାଡିବାକୁ ଚେତାବନୀ ଦେଇଛନ୍ତି ତାରା। ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଧମକ ଦେଲେ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଛନ୍ତି।

କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବା କହିଲେ ମିନାକ୍ଷୀ। ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସେ ଆହୁରି କହିଛନ୍ତି ଯେ, ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ। ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି , ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.