Odisha Link
Bridging the Missing Links in Odisha

ପଞ୍ଜଶୀରରେ ବିଦ୍ରୋହର ସ୍ବର, ୩୦୦ ତାଲିବାନୀ ମୃତ

କାବୁଲ: ତାଲିବାନ କାବୁଲକୁ ଅକ୍ତିଆର କରିଥିଲେ ମଧ୍ୟ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧିନରେ ଆଣି ପାରି ନାହିଁ। ଏବେ ତାଲିବାନର ଯୋଦ୍ଧାମାନେ ପଞ୍ଜଶୀରର ଘାଟୀ ଆଡ଼କୁ ଅଗ୍ରସର ହେଇଥିବା ବେଳେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି। ଫଳରେ ତାଲିବାନୀ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ଉପୁଜିଛି।

ତାଲିବାନ କରୀ ଫସୀହୁଦ ଦୀନହାଫିଜୁଲ୍ଲାହଙ୍କ ନେତୃତ୍ୱରେ ପଂଜଶୀର ଉପରେ ଆକ୍ରମଣ କରିବାକୁ ଶତାଧିକ ଲଢୁଆଙ୍କୁ ପଠାଇଥିଲା।
କିନ୍ତୁ ବଗଲାନ ରାଜ୍ୟର ଅନ୍ଦରାବ ଘାଟୀରେ ଅଙ୍କୁଶ ଲଗାଇ ବସିଥିବା ପଂଜଶୀରର ବିଦ୍ରୋହୀମାନେ ଆକ୍ରମଣ କରିଦେଇଛନ୍ତି। ଏହି ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି। ଏହା ଦ୍ୱାରା ତାଲିବାନର ଯୋଗାଣ ମାର୍ଗ ମଧ୍ୟ ବ୍ଲକ ହୋଇଯାଇଛି। ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

ତାଲିବାନୀ ସେନା ଅଳ୍ପ ଦିନ ଭିତରେ ଆଫଗାନିସ୍ତାନର ପଂଜୀଶରକୁ ଛାଡ଼ି ଅନ୍ୟ ୩୩ଟି ରାଜ୍ୟକୁ ନିଜର ଅଧିନକୁ ନେଇଯାଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜଶୀରରେ ପ୍ରବେଶ କରିପାରି ନାହାନ୍ତି କାରଣ ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ପଞ୍ଜଶୀରରେ ୧୦ ହଜାର ସୈନିକ ମୁତୟନ ଅଛନ୍ତି। ବଗଲାନ ଅଞ୍ଚଳରେ ୩ ଟି ଜିଲ୍ଲାକୁ ଦଖଲ ନକରିପାରି ଫେରିଥିବା ତାଲିବାନୀମାନେ ପୁଣିଥିରେ ସେହି ଅଞ୍ଚଳକୁ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ମାସୁଦଙ୍କୁ ସରେଣ୍ଡର ପାଇଁ ତାଲିବାନୀ ଚେତାବନୀ ଦେଇଛନ୍ତି କିନ୍ତୁ ସେ ବାପାଙ୍କ ପଦ ଅନୁସରଣ କରିବେ ଏବଂ ତାଲିବାନଙ୍କ ନିକଟରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିବା ସହ ନିହତ ତାଲିବାନ-ବିରୋଧୀ ସଂଗ୍ରାମୀଙ୍କ ପୁତ୍ର ତଥା ‘ନ୍ୟାସନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ନେତା ଅହମଦ୍ ମାସୁଦ୍। ସେ ଫ୍ରାନ୍ସ୍ , ୟୁରୋପ୍, ଆମେରିକା ଏବଂ ଆରବ ଦେଶମାନଙ୍କୁ ଏ ସଂଗ୍ରାମରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.