Odisha Link
Bridging the Missing Links in Odisha

ନୂୂୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)କୁ ଲାଗୁ କରି ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ତିଆରି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ୱଥ ନାରାୟଣ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି ନଗେଶ, ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ ଡ଼ା. କେ କସ୍ତୁରିରଙ୍ଗନଙ୍କ ସହ କର୍ଣ୍ଣାଟକରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ସେ କହିଛନ୍ତି କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରି ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବା ଦିଗରେ ବଡ଼ ପଦକ୍ଷେପ ନେଇଛି । ରାଜ୍ୟର ମାତୃଭାଷା କନ୍ନଡ଼ରେ ଜାତୀୟ ଶିକ୍ଷା ନୀତିର ଅନୁବାଦ ଠାରୁ ଆରମ୍ଭ କରି ଏଥିପାଇଁ ଏକ ଟ୍ୟାସ୍କ ଫୋର୍ସ ଗଠନ କରିବା ଏବଂ ଏହାର କାର୍ଯ୍ୟକାରିତା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ୩୪ ବର୍ଷ ପରେ ଅଣାଯାଇଥିବା ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି-୨୦୨୦କୁ କାର୍ଯ୍ୟକାରୀ କରିବାରେ କର୍ଣ୍ଣାଟକ ଭାରତର ପ୍ରଥମ ରାଜ୍ୟ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି ।

ନୂଆ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ, ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ଏବଂ ସମସ୍ତ ଅଂଶୀଦାର ଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କର୍ଣ୍ଣାଟକ ଜାତୀୟ ଶିକ୍ଷା ନୀତି ଲାଗୁ କରି ଅନ୍ୟ ରାଜ୍ୟ ଗୁଡ଼ିକ ଅନୁସରଣ କରିବା ଦିଗରେ ଉଦାହରଣ ତିଆରି କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପରିକଳ୍ପିତ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା କରିବା ଦିଗରେ ଏକ ଉଦାହରଣ ସୃଷ୍ଟି କରିବ । ଭାରତକୁ ଜ୍ଞାନର ଅର୍ଥନୀତି ଭାବେ ପରିଗଣିତ କରିବା ସହ ବୈଶ୍ୱିକ ନାଗରିକଙ୍କୁ ସୃଷ୍ଟି କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ ।

ଆଜିର ପିଢ଼ି ଯେଉଁମାନେ ୩ ରୁ ୨୩ ବର୍ଷ ବୟସରେ ଅଛନ୍ତି ସେମାନେ ରାଷ୍ଟ୍ରୀୟ ଶିକ୍ଷା ନୀତିର ଅଧିକ ଲାଭ ପାଇବେ ଏବଂ ଆଗାମୀ ଦିନରେ ଦେଶର ଭବିଷ୍ୟତ ଗଢ଼ିବେ । ନୂଆ ଶିକ୍ଷା ନୀତିରେ ଦେଶରେ ବଢୁଥିବା ଜନସଂଖ୍ୟାକୁ ଯଥାଶୀଘ୍ର ଅନ୍ତର୍ଭୃକ୍ତ କରିବା ଆମ ପାଇଁ ଏକ ଆହ୍ୱାନ । ଭାରତର ରାଷ୍ଟ୍ରୀୟ ଶିକ୍ଷା ନୀତି ଢାଂଚାଗତ ନୀତି, କ୍ରିୟାନ୍ୱୟନ ରଣନୀତି ଏବଂ ମାନବ ସମାଜରେ ଏହାର ଭୂମିକା ନିଶ୍ଚିତ ଭାବରେ ବୈଶ୍ୱିକ ନୀତି ପ୍ରଣୟନକାରୀଙ୍କ ପାଇଁ ଏକ ଉଦାହରଣ ତିଆରି ହେବ । ଏନଇପି ଭାରତକୁ ବିଶ୍ୱରେ ପୁନଃ ରୂପ ଦେବ । ଭାରତକୁ ଏକ ସୁଦୃଢ ଜ୍ଞାନର ଅର୍ଥନୀତି ଭାବରେ ରାଷ୍ଟ୍ରୀୟ ଆକାଂକ୍ଷାକୁ ପୂରଣ କରିବାରେ ସାମୂହିକ ଉଦ୍ୟମ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.