ମନୋଜ ବାଜପେୟୀଙ୍କୁ ଗଞ୍ଜଡିଆ କହିବା କେଆରକେଙ୍କୁ ପଡ଼ିଲା ଭାରି

ମୁମ୍ବାଇ: ବିବାଦ ଓ ଫିଲ୍ମ ସମୀକ୍ଷକ କେଆରକେ ସବୁବେଳେ ଲାଇମ୍ଲାଇଟ୍ରେ ରହିବାକୁ ପସନ୍ଦ କରନ୍ତି। କିଛି ଦିନ ପୂର୍ବେ ଭାଇଜାନଙ୍କ ସହ ପଙ୍ଗା ନେଇ ଶେଷରେ ପଛ ଘୁଞ୍ଚା ଦେଇଥିବା କେଆରକେ ଏବେ ପୁଣି ଏକ ବିବାଦ ଘେରରେ। ଏଥର ଫ୍ୟାମିଲି ମ୍ୟାନ୍ ମନୋଜ ମନୋଜ ବାଜପେୟୀଙ୍କୁ ସେ ଟାର୍ଗେଟ କରିଛନ୍ତି।
କେଆରକେ ଏକ ଟ୍ୱିଟରେ ସିଧାସଳଖ ମନୋଜଙ୍କୁ ଟାର୍ଗେଟ କରିଛନ୍ତି। କମାଲ ଲେଖିଛନ୍ତି, ୱେବ ସିରିଜ ଦେଖିବାକୁ ମୋ ପାଖରେ ସମୟ ନାହିଁ। ମୁଁ ଏତେ ବି ଫାଲତୁ ଲୋକ ନୁହେଁ। ନିଜ ଟ୍ୱିଟରେ କମାଲ ମନୋଜ ବାଜପେୟୀଙ୍କୁ ଜଣେ ଗଞ୍ଜଡିଆ ବୋଲି କହିବା ସହ ତାଙ୍କ ଫିଲ୍ମ କାହିଁକି ଦେଖୁଛ ବୋଲି ପ୍ରଶ୍ନ କରିଛନ୍ତି। ଯଦି ତୁମେ ବଲିଉଡରେ ଗଞ୍ଜଡିଆଙ୍କୁ ଘୃଣା କରିବା ଆରମ୍ଭ କରିବ ତେବେ ଏହି ତାଲିକା ବହୁତ ଲମ୍ବା ହେବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
ନିଜ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିବାରୁ ସବୁବେଳେ କୁଲ୍ ରହୁଥିବା ମନୋଜ ବାଜପେୟ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କେଆରକେଙ୍କୁ ପାନେ ଦେବାକୁ ତାଙ୍କ ନାଁରେ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଗତ ୨୪ ତାରିଖରେ ଇନ୍ଦୋରର ଏକ ଅଦାଲତରେ କମାଲଙ୍କ ନାଁରେ ଆଇପିସି ଧାରା-୫୦୦ ଅଧୀନରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ମନୋଜ।
ମନୋଜଙ୍କ ଓକିଲ ପରେଶ ଏସ୍ ଯୋଶୀଙ୍କ କହିବା ମୁତାବକ, ଏହି ମାମଲାରେ ଅପରାଧିକ ମାନହାନୀ ମକଦ୍ଦମା ରୁଜୁ ପାଇଁ ଅପିଲ୍ କରାଯାଇଛି। ମନୋଜ ବାଜପେୟୀଙ୍କୁ ବଦନାମ କରିବା ସହ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ବର୍ବାଦ କରିବାକୁ କମାଲ ଏପରି କରିଥିଲେ। ଏହାଦ୍ୱାରା ମର୍ମାହତ ହୋଇଥିବା ମନୋଜ ବାଜପେୟୀ ବ୍ୟକ୍ତିଗତ ରୂପେ ନିଜ ବୟାନ ରେକର୍ଡ ପାଇଁ କୋର୍ଟରେ ପହଞ୍ଚିଥିଲେ।