Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ଖୁନ୍ଦି ହୋଇଛନ୍ତି ଆତଙ୍କୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଆତଙ୍କୀ ଗୋଷ୍ଠୀ ତାଲିବାନ ନିଜ କବ୍‌ଜାକୁ ନେବା ପରେ ଆତଙ୍କିତ ବିଶ୍ୱବାସୀ। ବିଶ୍ୱବ୍ୟାପୀ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ନେଇ ଭୟ ସଞ୍ଚାର ହୋଇଛି। ତେବେ ଆଫଗାନିସ୍ତାନରେ କେବଳ ତାଲିବାନ ଆତଙ୍କୀ ନାହାନ୍ତି। ଦେଶ ଆହୁରି ଅନେକ ଘାତକ ଗୋଷ୍ଠୀର ଚରାଭୂଇଁ ପାଲଟିଛି। ଦେଶର କନ୍ଦିକନ୍ଦିରେ ଖୁନ୍ଦି ହୋଇଛନ୍ତି ଆତଙ୍କବାଦୀ ସଂଗଠନ। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ଶାସନ କରିଥିଲା ତାଲିବାନ। ସେତେବେଳେ ତାଲିବାନ ସୁରକ୍ଷା ବଳୟରେ ଆଫଗାନିସ୍ତାନରେ ଅଲ୍‌ କାଏଦା ଭଳି ଅନେକ ଆତଙ୍କୀ ଗୋଷ୍ଠୀ ଆଶ୍ରୟ ନେଇଥିଲେ। ଏହିଠାରୁ ସେମାନେ ରଣନୀତି ବନାଇ ନିଜ ଟାର୍ଗେଟ୍‌କୁ ବାସ୍ତବ ରୂପ ଦେଉଥିଲେ।

ଅଲ୍‌ କାଏଦା:

୨୦୦୧ ହମଲା ପରେ ଆମେରିକା ଆଫଗାନିସ୍ତାନକୁ ଟାର୍ଗେଟ୍‌ କରିଥିଲା। ଅଲ୍‌ କାଏଦାକୁ ପ୍ରଶ୍ରୟ ଦେଇଥିବାରୁ ତାଲିବାନକୁ ସବକ୍‌ ଶିଖାଇଥିଲା। ଫଳରେ ପୁଣି ଦେଶରେ ପୁଣି ଆଫଗାନ ସରକାର ଫେରିଥିଲା। ତେବେ ଏଠାରୁ ଅଲ୍‌ କାଏଦାର ପରିସମାପ୍ତି ଘଟି ନ ଥିଲା। ସଦ୍ୟ ଘଟଣାରେ ତାଲିବାନ ସହ ମିଶି ଅଲ୍‌ କାଏଦାର ଘାତକ ଆତଙ୍କୀମାନେ ଆଫଗାନ ସେନା ଉପରେ ମିଳିତ ଆକ୍ରମଣ କରିଥିଲେ। ଏଥିରେ ପାକିସ୍ତାନଭିତ୍ତିକ ସଂଗଠନ ଜୈସ- ଏ-ମହମ୍ମଦ (ଜେଇଏମ୍‌) ଓ ଲସ୍କର-ଏ-ତଇବା (ଏଲ୍‌ଇଟି) ଭଳି ଗୋଷ୍ଠୀ ବି ସହାୟକ ହୋଇଥିଲେ। ତାଲିବାନ ସେମାନଙ୍କୁ ବିପୁଳ ସମର୍ଥନ ଯୋଗାଉଥିବାରୁ ସେମାନେ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରିଥିଲେ।

୨୦୨୧ ଏପ୍ରିଲରେ ପ୍ରକାଶିତ ଜାତିସଂଘ ରିପୋର୍ଟ ମୁତାବକ ଅଲ୍‌ କାଏଦା ଏବଂ ତାଲିବାନ ମଧ୍ୟରେ ବଡ଼ଧରଣର ଚୁକ୍ତି ହୋଇଛି। ସେମାନେ କୌଣସି ପରିସ୍ଥିତିରେ ପରସ୍ପରଠାରୁ ପୃଥକ୍‌ ହେବେନାହିଁ। ବରଂ ପରସ୍ପରର ମିଶନକୁ ବାସ୍ତବ ରୂପ ଦେବା ପାଇଁ ଦୃଢ଼ ସମର୍ଥନ ଯୋଗାଇବେ। ରିପୋର୍ଟ ମୁତାବକ ଆଫଗାନିସ୍ତାନରେ ଅଲ୍‌ କାଏଦାର ଏକ ଗୋଷ୍ଠୀ ଏକ୍ୟୁଆଇଏସ୍‌ (ଅଲ୍‌ କାଏଦା ଇନ୍‌ ଇଣ୍ଡିଆନ୍‌ ସବ୍‌କଣ୍ଟିନେଣ୍ଟ) ବେଶ୍‌ ସକ୍ରିୟ ରହିଛି। ଏହାର ସଦସ୍ୟମାନେ ତାଲିବାନକୁ ସହାୟତା ଦେଉଛନ୍ତି। ଆଫଗାନିସ୍ତାନରେ ଆମେରିକୀୟ ସେନାକୁ ଏକ୍ୟୁଆଇଏସ୍‌ ହିଁ ଧମକ ଦେଇଥିବା ଆମେରିକା ପ୍ରତିରକ୍ଷା ବିଭାଗ ରିପୋର୍ଟରୁ ଜଣାପଡ଼ିଛି।

ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରାସାନ୍‌ ପ୍ରୋଭିନ୍ସ:

ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରାସାନ୍‌ ପ୍ରୋଭିନ୍ସ (ଆଇଏସ୍‌କେପି) ହେଉଛି ଆଇଏସ୍‌ ଆତଙ୍କବାଦୀ ସଂଗଠନର ଏକ ଗୋଷ୍ଠୀ। ୨୦୧୫ରେ ଏହା ସୃଷ୍ଟି ହୋଇଥିଲା। ଏଥିରେ ତେହରିକ୍‌-ଏ-ତାଲିବାନ ପାକିସ୍ତାନର ପୂର୍ବତନ ଆତଙ୍କୀମାନେ ପ୍ରମୁଖ ସଦସ୍ୟ ରହିଛନ୍ତି। ପାକିସ୍ତାନ ସେନା ଛାଡ଼ି ଏମାନେ ଆତଙ୍କୀ ହୋଇଥିଲେ। ଆଇଏସ୍‌କେପିକୁ ଆଇଏସ୍‌ଆଇଏସ୍‌-କେ ମଧ୍ୟ କୁହାଯାଉଛି। ଆଫଗାନିସ୍ତାନର କୁନାର ଓ ନଙ୍ଗରହାର ପ୍ରଦେଶର କେତେକ କ୍ଷୁଦ୍ର ଅଞ୍ଚଳରେ ଏହାର ପ୍ରାୟ ୨,୨୦୦ ଆତଙ୍କୀ ରହିଥିବା ଆମେରିକା କଂଗ୍ରେସ ଥିଙ୍କ୍‌ଟ୍ୟାଙ୍କ୍‌ ରିପୋର୍ଟ ଦର୍ଶାଇଛି। ତେବେ ତାଲିବାନ ଓ ଆଇଏସ୍‌କେପି ମଧ୍ୟରେ ଅନେକ ଥର ମୁହାଁମୁହିଁ ପରିସ୍ଥିତି ଉପୁଜିଛି।

Leave A Reply

Your email address will not be published.