Odisha Link
Bridging the Missing Links in Odisha

କାବୁଲ ବିମାନବନ୍ଦରରେ ମହଙ୍ଗାମାଡ଼: ପାଣି ବୋତଲକୁ ୩୦୦୦, ଭାତ ୭୫୦୦ ଟଙ୍କା

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ ପରଠାରୁ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଏବେ ବି କାବୁଲ ବିମାନବନ୍ଦରରେ ଭିଡ ଲାଗାଇଛନ୍ତି। ତାଲିବାନୀଙ୍କଠାରୁ ଲୋକେ ଜୀବନ ବଞ୍ଚାଇବାକୁ ଅନ୍ୟଦେଶରେ ଶରଣ ନେବାକୁ ଲୋକ ବିମାନ ବନ୍ଦରମୁହାଁ ହେଉଛନ୍ତି।

ଆମେରିକା ସମେତ ଅନେକ ଦେଶ ମଧ୍ୟ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି। ଏସବୁ ସ୍ଥିତିର ଫାଇଦା ବି ତାଲିବାନ ମାନେ ଉଠାଉଛନ୍ତି ।ଏହାରି ମଧ୍ୟରେ କାବୁଲ ବିମାନବନ୍ଦରରେ ପାଣି ଓ ଖାଇବା ଦର ଆକାଶଛୁଆଁ ହୋଇଛି। ତେବେ ଗୋଟିଏ ବୋତଲ ପାଣିର ମୂଲ୍ୟ ୪୦ ଆମେରିକୀୟ ଡଲାର। ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩ ହଜାର ଟଙ୍କା। ଭାତ ପ୍ଲେଟର ମୂଲ୍ୟ ୭,୫୦୦ ଟଙ୍କା ରହିଛି। ଫଳରେ କାବୁଲ ବିମାନବନ୍ଦରରେ ଥିବା ଲୋକଙ୍କ ପାଇଁ ଏହା ଦୁର୍ଦ୍ଦଶା ପାଲଟିଯାଇଛି।

ଗଣମାଧ୍ୟମ ରଏଟର୍ସ ଅନୁଯାୟୀ, ଜଣେ ଆଫଗାନିସ୍ତାନ ନାଗରିକ କହିଛନ୍ତି ଯେ ଖାଦ୍ୟ ଏବଂ ପାଣି ଅତ୍ୟଧିକ ମୂଲ୍ୟରେ ବିକ୍ରି ହେଉଛି। ଗୋଟିଏ ପଟେ ତାଲିବାନ ଅତ୍ୟାଚାର ଓ ଅନ୍ୟ ପଟେ ମହଙ୍ଗା ମାଡ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜିନିଷଗୁଡ଼ିକ କେବଳ ଡଲାରରେ ବିକ୍ରି ହେଉଛି। ଆଫଗାନିସ୍ତାନ ମୁଦ୍ରାରେ ବି ନୁହେଁ। ଯଦି କେହି ପାଣି ବୋତଲ କିମ୍ବା ଖାଦ୍ୟ କିଣିବାକୁ ଚାହାଁନ୍ତି, ତେବେ ତାଙ୍କୁ ଆଫଗାନିସ୍ତାନ ମୁଦ୍ରାରେ ନୁହେଁ ଆମେରିକୀୟ ଡଲାରରେ ଦେବାକୁ ପଡିବ।

Leave A Reply

Your email address will not be published.