Odisha Link
Bridging the Missing Links in Odisha

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି କୋଭିଡ ପ୍ଲସ ନାମରେ ଷ୍ଟେଜ ଅନ ହ୍ବିଲ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖୀ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି।

ସୂଚନାଯୋଗ୍ୟ ସଂସ୍କୃତି ବିଭାଗ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫର ସହଭାଗିତାରେ ଡିସେମ୍ବର ୨୦୨୦ରୁ କୋଭିଡ ସମ୍ବନ୍ଧରେ ଜନସଚେତନତା ଜାରି ରଖିଛି। ପ୍ରଥମ ଓ ଦ୍ଵିତୀୟ ଲହରରେ ରାଜ୍ୟର ସମଗ୍ର ୩୦ଟି ଜିଲ୍ଲାର ଗାଁ ଓ ବ୍ଲକ ସ୍ତରରେ ସୁସଜ୍ଜିତ ରଥରେ ପ୍ରଦର୍ଶିତ ହୋଇଥିବା ଅଡିଓ ଭିଜୁଆଲ ଜନସଚେତନତା କାର୍ଯ୍ୟକ୍ରମକୁ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ମିଳିଥିଲା।ଓଡ଼ିଶା ସରକାରଙ୍କ ଲୋକକଳା ସଂଘର ଏଭଳି ନିଆରା ସଚେତନତା କାର୍ଯ୍ୟକ୍ରମ ଗାଁ ଗହଳିରେ ରହୁଥିବା ଲୋକଙ୍କ ସଚେତନତା ପାଇଁ ପ୍ରକୃଷ୍ଟ ମାଧ୍ୟମ ବୋଲି ଜଣା ପଡିଥିଲା। ସମ୍ଭାବ୍ୟ କୋଭିଡ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପୁନର୍ବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ୟୁନିସେଫର ସହାୟତାରେ ରାଜ୍ୟବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମକୁ ଆଉ ଦୁଇ ପାଦ ଆଗେଇ ନେବା ପାଇଁ ଅଣ୍ଟା ଭିଡ଼ିଛି।

୧୭ ଅଗଷ୍ଟରେ ବିଭାଗର କିଛି ଅଧିକାରୀ, ୟୁନିସେଫର ବିଶିଷ୍ଠ ପରାମର୍ଶଦାତା, ଲୋକକଳା ସଂଘର ସଂସାଧନ ସଦସ୍ୟ ମାନଙ୍କର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଅଗଷ୍ଟ ୧୭ ଓ ୧୮ ରେ ଉତ୍ତରାଞ୍ଚଳ ଓ ଅଗଷ୍ଟ ୧୯ ଓ ୨୦ ଦକ୍ଷିଣାଞ୍ଚଳର ଜିଲ୍ଲା ଗୁଡିକକୁ ନେଇ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏବଂ ଅନ୍ତିମ ପର୍ଯ୍ୟାୟରେ କେନ୍ଦ୍ରାଞ୍ଚଳର ୧୦ ଗୋଟି ଜିଲ୍ଲାର ଅଗଷ୍ଟ ୨୬ ଓ ୨୭ ରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ତାଲିମ ଶିବିରରେ ଅଂଶଗ୍ରହଣକାରୀ ମାନେ ଷ୍ଟେଜ ଅନ ହ୍ବିଲର ଅଣୁ ଯୋଜନା ,ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଲୋକଭାଷା କୁ ନେଇ ସଂଳାପ ଲିଖନ ଏବଂ କୋଭିଡ ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଉପରେ ତାଲିମ ନେଇଥିଲେ।

ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜ୍ୟବ୍ୟାପୀ ଲୋକାର୍ପଣ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି। ଅନ୍ତିମ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶାର ସମସ୍ତ ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ଯୋଡି ହେବା ସହ ସାମାଜିକ ଗଣମାଧ୍ୟମକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ। ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ର ଯୋଗଦେଇ ସାଧାରଣ ଲୋକଙ୍କ ପାଖରେ ଅଧିକରୁ ଅଧିକ ଏହି ସଚେତନତା ବାର୍ତ୍ତା ପହଞ୍ଚେଇବାକୁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଲବିଷୋୟୀ କରିଥିଲେ ଏବଂ ରାଜ୍ୟ କଳାସଂସ୍କୃତି ସଂଘର ଉପସଭାପତି ଶ୍ରୀ ଅବନୀ ମିଶ୍ର ଓ ୟୁନିସେଫ ତରଫରୁ ବିପୁଲ ମାଲବ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.