Odisha Link
Bridging the Missing Links in Odisha

ନବୀନଙ୍କ ରାସ୍ତାରେ ଯୋଗୀ: ୨୦୩୨ ଯାଏଁ କୁସ୍ତିର ପ୍ରାୟୋଜକ ରହିବ ଉତ୍ତର ପ୍ରଦେଶ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଥରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭାରତୀୟ ହକି ଦଳର ପ୍ରାୟୋଜକ ବା ସ୍ପନ୍ସର ରହିଛଇ ଓଡ଼ିଶା। ସେହିପରି ଯୋଗୀ ସରକାର ଭାରତୀୟ କୁସ୍ତି ଦଳର ପ୍ରାୟୋଜକ ହୋଇଛି। ୨୦୩୨ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସରକାର କୁସ୍ତି ଦଳର ପ୍ରାୟୋଜକ ରହିବ। ଯେପରି ଓଡ଼ିଶା ସରକାର ହକିର ପ୍ରାୟୋଜକ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହ।

ସେ କହିଛନ୍ତି ଯେ, କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ଉତ୍ତର ପ୍ରଦେଶ ସରକାର। ୨୦୩୨ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସରକାର କୁସ୍ତିର ପ୍ରାୟୋଜକ ରହିବେ। ଯୋଗୀ ସରକାର ୨୦୩୨ ଅଲିମ୍ପିକ୍ସ ପର୍ଯ୍ୟନ୍ତ ୧୭୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଶ୍ରି ସିଂହ କହିଛନ୍ତି। ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓଡ଼ିଶା ସରକାର ଯେଉଁପରି ଭାବେ ହକିକୁ ସମର୍ଥନ କରୁଛନ୍ତି ସେଥିରୁ ଅନୁପ୍ରାଣିତ ହୋଇ ଉତ୍ତର ପ୍ରଦେଶ ସରକାର କ୍ରୀଡ଼ାର ବିକାଶ ପାଇଁ ଆଗେଇ ଆସିଛନ୍ତି।

ଶ୍ରୀ ସିଂହ ଆହୁରି କହିଛନ୍ତି ଯେ, ଓଡ଼ିଶା ଭଳି ରାଜ୍ୟ ହକିର ପ୍ରାୟୋଜକ ରହିଛି। ବହୁତ ଭଲ ଭାବେ ହକିର ସମର୍ଥନ କରୁଛି। ତ ଆମେ ଭାବିଲୁ ଉତ୍ତର ପ୍ରଦେଶ ଏକ ବଡ଼ ରାଜ୍ୟ ତ କୁସ୍ତିକୁ କାହିଁକି ସମର୍ଥନ କରି ପାରିବନି। ପରେ ଆମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗାଯୋଗ କରିଥିଲୁ। ସେ ଆମ ପ୍ରସ୍ତାବକୁ ସ୍ବାଗତ କରିବା ସହ ସହମତି ପ୍ରକାଶ କରିଛନ୍ତି। ୨୦୩୨ ପର୍ଯ୍ୟନ୍ତ କୁସ୍ତିର ପ୍ରାୟୋଜକ ଉତ୍ତର ପ୍ରଦେଶ ରହିବ ବେଲି ସେ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, କେବଳ ଦେଶର ଆଗଧାଡ଼ିର କୁସ୍ତି ଖେଳାଳିଙ୍କ ପାଇଁ ଉତ୍ତର ପ୍ରଦେଶ ପ୍ରାୟୋଜକ ରହିବ ନାହିଁ। କ୍ୟାଡେଟ ସ୍ତରର କୁସ୍ତିଯୋଦ୍ଧାଙ୍କର ମଧ୍ୟ ଉତ୍ତର ପ୍ରଦେଶ ପ୍ରାୟୋଜକ ରହିବ। ଉତ୍ତର ପ୍ରଦେଶ ସରକାର ମୋଟ ୧୭୦ କୋଟି ଟଙ୍କା ପ୍ରାୟୋଜକ ବାବଦକୁ ଦେବେ। ରାଷ୍ଟ୍ରୀୟ ଚମ୍ପିଆନ୍‌ଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କରିଥିଲେ ବଡ଼ ଘୋଷଣା। ସେ କହିଥିଲେ ଯେ, ୨୦୩୩ ଯାଏଁ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା।ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା।

Leave A Reply

Your email address will not be published.