Odisha Link
Bridging the Missing Links in Odisha

ତାଲିବାନୀଙ୍କ ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଖବର ପରିବେଷଣ

କାବୁଲ: ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଖବର ପରିବେଷଣ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କୁ ଘେରି ରହିଛନ୍ତି ବନ୍ଧୁକଧାରୀ ତାଲିବାନୀ। ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି ସେ କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଫଗାନିସ୍ତାନର ଏକ ଟିଭି ଚ୍ୟାନେଲର ଷ୍ଟୁଡିଓ ଭିତରେ ପଶି ସାମ୍ବାଦିକଙ୍କୁ ଧମକାଇଛନ୍ତି ତାଲିବାନୀ। ଏପରିକି ବନ୍ଧୁକ ମୁନରେ ଜଣେ ଟିଭି ସମ୍ବାଦଦାତାଙ୍କୁ ନ୍ୟୁଜ ପଢ଼ିବାକୁ କହିଛନ୍ତି। କେବଳ ସେତିକି ନୁହେଁ ତାଲିବାନୀଙ୍କ ପ୍ରଶଂସା କରିବା ପାଇଁ ମଧ୍ୟ ସେମାନେ ତାଗିଦ କରିଛନ୍ତି। ଅସହାୟ ନ୍ୟୁଜ ଆଙ୍କର ଜଣକ ତାଙ୍କ କଥା ମାନିବାକୁ ବାଧ୍ୟ ହୋଇଛନ୍ତି। ଭୟରେ ଥିବା ଆଙ୍କର ଜଣକ ଅନ୍ୟମାନଙ୍କୁ ଭୟ ନକରିବା ପାଇଁ ବାର୍ତ୍ତା ଦେଇଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ତାଲିବାନର ଅସଲ ମୁଖା ସାମ୍ନାକୁ ଆସିଛି। ତାଲିବାନର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି। ଜଣେ ସାମ୍ବାଦିକ ଏହି ଭିଡିଓକୁ ଟୁଇଟ୍‌ କରି କହିଛନ୍ତି, ‘ଏହା ବେଶ ଆଶ୍ଚର୍ଯ୍ୟଜନକ। ତାଲିବାନ ଆତଙ୍କବାଦୀମାନେ ଏହି ଭୟଭୀତ ଟିଭି ହୋଷ୍ଟ ପଛରେ ବନ୍ଧୁକ ଦେଖାଇ ତାଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ଲୋକମାନେ ଇସଲାମ ଏମିରେଟ୍‌କୁ ଭୟ କରିବା ଉଚିତ୍ ନୁହେଁ।’

ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ତାଲିବାନ ଏକ ପ୍ରେସମିଟ୍‌ କରି ଦେଶରେ ସ୍ୱାଧୀନଭାବେ ମୁକ୍ତ ପ୍ରେସ ଚଳାଇବା ପାଇଁ ଅନୁମତି ଦେଇଥିଲା। କିନ୍ତୁ ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଖବର ପରିବେଷଣର ଚିତ୍ର ସାମ୍ନାକୁ ଆସୁଛି।

Leave A Reply

Your email address will not be published.