Odisha Link
Bridging the Missing Links in Odisha

ନରମିଗଲା ସ୍ବର, ଡରିଗଲେ କି ତାରା?

ଭୁବନେଶ୍ବର: କୋରାପୁଟିଆ ନେତାଙ୍କ ବିବାଦ ରାଜ୍ୟ କଂଗ୍ରେସର ରାଜନୀତିକୁ ବେଶ ସରଗରମ କରିଥିଲା। ଏପରିକି କାଦୁଅ ଫିଙ୍ଗା ରାଜନୀତି ଦେଖିବାକୁ ମିଳିଥିଲା। ଦିନେ ବିଧାୟକ ତାରା ବାହିନୀପତି ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ବର୍ଷୁଥିବାର ଦେଖିବାକୁ ମିଳୁଥିଲା ତ ତା’ ପରଦିନ ନିରଞ୍ଜନଙ୍କ ସମର୍ଥକ ତାରାଙ୍କ ବିରୋଧରେ ବର୍ଷୁଥିଲେ। କେବେ ପ୍ରଦୀପ ମାଝି ତ ପୁଣି କେବେ ବିଧାୟକ ସୁରେଶ କୁମାର ରାଉତରାୟ ତ ପୁଣି କେବେ ଏଆଇସିସି ସଦସ୍ୟ ଶରତ ରାଉତ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ। ସୋମବାର ତାରା ଦେଇଥିବା ବୟାନ ପରେ ଏସବୁ କାଦୁଅ ଫିଙ୍ଗା ରାଜନୀତିରେ ବିରାମ ଲାଗିଛି।

ରାଜ୍ୟ ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ପହଞ୍ଚିବା ପୂର୍ବରୁ ନରମିଗଲା ତାରାଙ୍କ ସ୍ୱର। କଂଗ୍ରେସ ନେତାଙ୍କ ଭିତରେ ପଡିଲା ପ୍ୟାଚ୍। ଦିନେ ନୋ କମ୍ପ୍ରୋମାଇଜ୍ କଥା କହୁଥିବା ଜୟପୁର ବିଧାୟକ ତାରା, ପିପିସି ସଭାପତି ଓ ଦଳ ଉପରେ ଆଭିମୁଖ୍ୟ ବଦଳାଇଛନ୍ତି।ବିଦ୍ରୋହର ସ୍ୱର ଉଠାଇଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନରମି ଯାଇଛନ୍ତି। ଗଣମାଧ୍ୟମ ଆଗରେ ନିଜ ମତ ବଦଳାଇ କହିଛନ୍ତି, ପିସିସି ସଭାପତି ବଡ ଭାଇ ଭଳି, ତାଙ୍କ ନେତୃତ୍ୱରେ ଦଳ ଆଗକୁ କାମ କରିବ।

ତାରା କହିଛନ୍ତି ଯେ, ନିରଞ୍ଜନ ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ରାଗ ଅଭିମାନରେ ପିସିସି ସଭାପତିଙ୍କୁ ଅଯୋଗ୍ୟ କହିଦେଇଥିଲି। ସେତେବେଳେ ମୁଡ ଅଲଗା ଥିଲା। ଏବେ ମୁଡ ବଦଳିଲା ମନ୍ତବ୍ୟବି ବଦଳିଲା ବୋଲି ତାରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରବିବାର ପ୍ରଭାରୀ ଓ ନିରଞ୍ଜନ ଭାଇଙ୍କ ସହ ଫୋନ ଯୋଗେ କଥା ହୋଇଛି। ପ୍ରଦୀପ ମାଝୀ ଓ ସପ୍ତଗିରିଙ୍କ ସହ କଥା ହୋଇନାହିଁ ବୋଲି ମଧ୍ୟ କହିଛନ୍ତି।

ଅପରପକ୍ଷେ କଂଗ୍ରେସ କନ୍ଦଳ ପ୍ରସଙ୍ଗକୁ ନେଇ ଚେଲ୍ଲାକୁମାର ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ଯେ, କଂଗ୍ରେସରେ ବିଶୃଙ୍ଖଳା ବରଦାସ୍ତ କରାଯିବନି। ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି, ଯାଇପାରନ୍ତି। କଂଗ୍ରେସରେ ବ୍ଲାକମେଲ ରାଜନୀତି ଚଳିବ ନାହିଁ । କିମ୍ବା ରାଜନେତା ଏହାକୁ ଲଚିଂ ପ୍ୟାଡ ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ସେ କହିଛନ୍ତି। ପ୍ରଭାରୀଙ୍କ ଏହି ନାଲି ଆଖି ହିଁ ବିଦ୍ରୋହୀ ନେତାଙ୍କ ମୁଡ ବଦଳାଇ ଦେଲା।

ଏହାରି ଭିତରେ ଆସନ୍ତାକାଲି ପ୍ରଭାରୀ, ଦଳର ବରିଷ୍ଠ ନେତା, ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦଙ୍କୁ ନେଇ କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ବୈଠକ ଡକାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏକାଠୀ ହୋଇ ନିର୍ବାଚନ ଲଢିବା ଉପରେ ଆଲୋଚନା କରିବେ।

Leave A Reply

Your email address will not be published.