Odisha Link
Bridging the Missing Links in Odisha

ସରିଲା ଡେଡ୍‌ଲାଇନ: ଆଫଗାନ ଛାଡିଲା ଆମେରିକା

କାବୁଲ: ସରିଲା ଡେଡ୍‌ଲାଇନ, ଆଫଗାନ ଛାଡିଲା ଆମେରିକା। ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡିଲା ଆମେରିକାର ଶେଷ ବିମାନ। ସି-୧୭ ବିମାନ ରାତି ପାଖାପାଖି ୩ଟା ୨୯ରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଥିଲା। ଏହି ଉଡାଣ ସହ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା।

ବିମାନ ବନ୍ଦରରେ ୩ଟି ମୁଖ୍ୟ ପ୍ରବେଶ ପଥକୁ ଗତକାଲିଠାରୁ ନିଜ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଆଜି ସମଗ୍ର ବିମାନ ବନ୍ଦରକୁ କବ୍‌ଜା କରିଛି। ସାମରିକ ଜୋନ୍‌ରୁ ଏଣିକି କୌଣସି ବିମାନ ତାଲିବାନର ବିନା ଅନୁମୋଦନରେ ଉଡ଼ାଣ କରିପାରିବ ନାହିଁ ବୋଲି ଘୋଷଣା କରାଯାଇଛି। ଉଡ଼ାଣ ଉପରେ ତାଲିବାନ କଟକଣା ଜାରି କରିବା ସହ ଏଣିକି ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ତାଲିବାନର କଡ଼ା ଯାଞ୍ଚ ବ୍ୟବସ୍ଥା ଭିତରେ ହିଁ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରି ନେଇଛି। ଶେଷ ସୈନ୍ୟ ଭାବେ ମେଜର ଜେନେରାଲ ଖ୍ରୀସ୍ ଜୋନାହ୍ୱେ ବିମାନରେ ବସିଥିଲେ। ସୈନ୍ୟ ପ୍ରତ୍ୟାହାର ପରେ କାବୁଲ ଏୟାରପୋର୍ଟରେ ତାଲିବାନୀମାନେ କାବୁଲ ଏୟାରପୋର୍ଟରେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ। ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇଥିବାରୁ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍।

୧ ଲକ୍ଷ ୨୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ବାଇଡେନ୍। ଏହା ସହ ରାଷ୍ଟ୍ରପତି କହିଛନ୍ତି ଆହୁରି କିଛି ଆମେରିକୀୟ ଆଫଗାନିସ୍ତାନରେ ରହି ଯାଇଛନ୍ତି। ଆଫଗାନିସ୍ତାନରୁ ଏୟାର ଲିଫ୍ଟ ନେଇ ସରୁଥିଲା ଡେଡଲାଇନ୍। ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡଲାଇନ୍ ଦେଇଥିଲା ତାଲିବାନ।

ବ୍ରିନେଟ୍‌, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ଉଦ୍ଧାର ପ୍ରକ୍ରିୟା‌ ଗତକାଲିଠାରୁ ଶେଷ କରିଛନ୍ତି। ଭାରତ ସରକାର ଉଦ୍ଧାର କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କାବୁଲରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ଜେ ବିମାନ ଆଜି ଭାରତ ଫେରି ଆସିଛି। କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.