Odisha Link
Bridging the Missing Links in Odisha

ଆଜିଠୁ ରାଜ୍ୟରେ ନୂଆ ଗାଇଡଲାଇନ ଲାଗୁ

ଭୁବନେଶ୍ୱର: କରୋନା ପାଇଁ ଆଜିଠୁ ରାଜ୍ୟରେ ନୂଆ ଗାଇଡଲାଇନ ଲାଗୁ। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏନେଇ ସାମ୍ବାଦିକ ଘୋଷଣା କରିଥିଲେ। ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ନୂଆ ଗାଇଡଲାଇନ ମୁତାବକ, ଭୁବନେଶ୍ୱର, କଟକ ଓ ପୁରୀ ସହରରେ ଲାଗୁ କରାଯାଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ହଟାଇ ଦିଆଯାଇଛି ଫଳରେ ରାଜ୍ୟରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ୍‌ ରହିବନି। ସେହିପରି କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁକୁ ଏବେ କେବଳ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟାରୁ ଯାଏ ସୀମିତ ରଖାଯାଇଛି।

ତେବେ ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରଖାଯାଇଛି। ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ମଧ୍ୟ ପୂର୍ବରୁ ଥିବା କଟକଣା ଜାରି ରହିବ। ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡ୍‌ଲାଇନ୍‌ ମାନି ମିଟିଂ ହୋଇପାରିବ। ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯାଇଛି। ଏବେ ବିବାହ କାର୍ଯ୍ୟ ଓ ଅନ୍ତେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ସମସ୍ତ କାର୍ଯ୍ୟକ୍ରମ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ହେବ।

ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ଶୋଭାଯାତ୍ରା ହୋଇପାରିବ। ଏହି ୫୦ଜଣଙ୍କ ମଧ୍ୟରେ ଲାଇଟ୍‌, ସାଉଣ୍ଡ୍‌, ବରଯାତ୍ରୀ ରହିବେ। ତେବେ ବିବାହ ଶୋଭାଯାତ୍ରା ପାଇଁ ପ୍ରାଧିକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ।

ସିନେମା ହଲ ଶତ ପ୍ରତିଶତ କ୍ଷମତା ଚାଲିବ। ଏଣିକି ସିନେମା ହଲ୍‌ ଏବଂ ସପିଂ ମଲକୁ ଯିବାକୁ ହେଲେ ଦୁଇଟି ଡୋଜ୍‌ ଟୀକାର ପ୍ରମାଣପତ୍ର ଦେଖାଇବାକୁ ପଡିବନାହିଁ କିମ୍ବା ଆରଟି-ପିସିଆର ନେଗେଟିଭ୍‌ ରିପୋର୍ଟର ମଧ୍ୟ ଆବଶ୍ୟକତା ନାହିଁ। ସେହିରି ପୂର୍ବରୁ ମଲ୍‌ ଏବଂ ସିନେମା ହଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲିବା କଟକଣାକୁ କୋହଳ କରାଯାଇଛି। ଏଣିକି ଶତ ପ୍ରତିଶତ କ୍ଷମତାରେ ଚାଲିପାରିବ ସିନେମା ହଲ୍‌। ସିନେମା ହଲ୍‌, ମଲ୍‌କୁ ଯିବାକୁ ଥିବା ପୂର୍ବ କଟକଣା କୋହଳ କରାଯାଇଛି।

ସେପ୍ଟେମ୍ବର ମାସର ପୂଜା ପାର୍ବଣ ଅଗଷ୍ଟ ୯ ଆଦେଶାନୁସାରେ ଚାଲିବ। ଜିଲ୍ଲାପାଳ ବା ଟୁଇନସିଟି କମିଶନର ଆବଶ୍ୟକ ହେଲେ କଟକଣା ବଢ଼ାଇବେ ବୋଲି ସୂଚନା ଦିଆଯାଇଛି। ନାଇଟକର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି। ନାଇଟ୍‌ କର୍ଫ୍ୟୁ ସମୟରେ ଓଲା ଓ ଉବେର ମଧ୍ୟ ଚାଲି ପାରିବ। ଏପରିକି ଟ୍ରେନ ଓ ବସ୍‌ରେ କେଉଁ ଆଡେ ଯାଉଥିଲେ ଟ୍ରେନ୍‌ ଟିକେଟ୍‌ ଦେଖାଇ ଯାଇପାରିବେ। ହୋମ ଡେଲିଭରୀ ହୋଇପାରିବ।

Leave A Reply

Your email address will not be published.