ନାବାଳକକୁ ହତ୍ୟା, ବେଳାଭୂମିରୁ ମୃତଦେହ ଉଦ୍ଧାର

ପୁରୀ: ସାଙ୍ଗକୁ ହତ୍ୟା କରି ନାବାଳକ ଫେରାର୍। ପୁରୀରେ ଜଣେ ନାବାଳକକୁ ହତ୍ୟା ପରେ ବେଳାଭୂମିରେ ମୃତଦେହ ଫିଙ୍ଗି ହତ୍ୟାକାରୀ ଫେରାର୍। ମୃତ ନାବାଳକ ହେଲେ ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ ଶୁଭମ୍ ସାହୁ (୧୬)। ମୃତଦେହ ମିଳିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ପୁଲିସ।
ସୂଚନା ମୁତାବକ, ରବିବାର ସକାଳୁ ଶୁଭମ୍ ନିଖୋଜ ହୋଇ ଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଶୁଭମ୍ର ପତ୍ତା ନମିଳିବାରୁ ବାପା ସନ୍ଧ୍ୟାରେ ବଳିଆପଣ୍ଡା ଥାନାରେ ଅପହରଣ ଅଭିଯୋଗ କରିଥିଲେ। ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଦଫା ୩୬୩ ବଳରେ ଅପହରଣ ମାମଲା ରୁଜୁ କରିଥିଲା। କିନ୍ତୁ ସୋମବାର ଭୋର୍ରେ ଶୁଭମ୍ର ବସ୍ତ୍ରହୀନ ନିସ୍ତେଜ ଶରୀର ହୋଟେଲ୍ ଶୁଭ୍ ପ୍ୟାଲେସ୍ ସମ୍ମୁଖ ବେଳାଭୂମିରେ ପଡ଼ିଥିବା କିଛି ମତ୍ସ୍ୟଜୀବୀ ଦେଖିଥିଲେ।
ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ପହଞ୍ଚି ଶୁଭମ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପୁଅକୁ କେହି ହତ୍ୟା କରି ବେଳାଭୂମିରେ ଫିଙ୍ଗିଥିବା ନେଇ ଦୀନବନ୍ଧୁ ଅଭିଯୋଗ କରିଥିଲେ। କିଛି ସାଙ୍ଗଙ୍କ ସହ ଶୁଭମ୍ର ଝଗଡ଼ା ହୋଇଥିବା କାରଣକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ସେ ଏତଲା ଦେଇଥିଲେ। ଦଫା ୩୦୨ ଓ ୩୪ ଆଇପିସି ବଳରେ ହତ୍ୟା ମାମଲା ରୁଜୁ କରି ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।