ରଜତ ବେଦୀଙ୍କ କାର୍ ସହ ଧକ୍କା ହୋଇଥିବା ବ୍ୟକ୍ତିଙ୍କର ମୃତ୍ୟୁ

ମୁମ୍ବାଇ: ଅଭିନେତା ରଜତ ବେଦୀଙ୍କ ପାଇଁ ବଢିଲା ସମସ୍ୟା। ଗତ ଦୁଇଦିନ ତଳେ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ରଜତ ବେଦୀଙ୍କ କାର୍ ସହ ଜଣେ ବ୍ୟକ୍ତିଙ୍କ ଧକ୍କା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ସେ କହିଛନ୍ତି ଯେ, ଡିଏନ୍ ନଗର ପୋଲିସ୍ ଷ୍ଟେସନ ଅଭିନେତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ ହୋଇଛି) ଯୋଡିଛି। ତେବେ ବେଦୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।
ଅଧିକାରୀ କହିଛନ୍ତି, “ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତି ରାଜେଶ ବୌଦ୍ଧ ଜଣେ ଶ୍ରମିକ ଥିଲେ। ଗତ ଦୁଇ ଦିନ ଧରି କପୁର ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଥିଲା କିନ୍ତୁ ମଙ୍ଗଳ ବାର ଦିନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାଦରେ ଯାଉଥିବା ପଥଚାରୀ ମଦ୍ୟପ ଅବସ୍ଥାରେ ଥିଲେ ଏବଂ ହଠାତ୍ ରାସ୍ତାର ମଝିକୁ ଆସିଯାଇଥିଲେ ଯାହାଫଳରେ ରଜତଙ୍କ କାର ତାଙ୍କୁ ଧକ୍କା ଦେଇଥିଲା।”
ପୁଲିସ କହିଛି ଯେ ଅଭିନେତା ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ କପୁର୍ ହସ୍ପିଟାଲରେ ଭର୍ତ୍ତି କରି ଡିଏନ୍ ନଗର ପୋଲିସ ଷ୍ଟେସନକୁ ଯାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।