Odisha Link
Bridging the Missing Links in Odisha

ବର୍ଷାରେ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଗତକାଲିଠୁ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଗତକାଲି ଅବପାତରେ ପରିଣତ ହେଲା ପରେ ଆଜି ଆହୁରି ଘନୀଭୂତ ହେବ ଲଘୁଚାପ। ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପ୍ରବଳ ବର୍ଷା ହେବା ନେଇ ଉପକୂଳ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ନୟାଗଡ। ଏହା ସହିତ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। କେତେକ ନଦୀରେ ଜଳସ୍ତର ବଢୁଥିବାବେଳେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

ତେଣୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି। ଅନ୍ୟପଟେ ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ରବିବାର ପୁରୀରେ ସର୍ବାଧିକ ୧୪୫ ମିମି ବର୍ଷା ହୋଇଥିବା ବଳେ ଭୁବନେଶ୍ୱରରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି। ମଧ୍ୟରାତି ପର୍ଯ୍ୟନ୍ତ ବର୍ଷା ଲାଗିରହିଥିବାରୁ ସୋମବାର ୫୦ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ସେପ୍ଟେମ୍ବର ମାସରେ ସର୍ବକାଳୀନ ରେକର୍ଡ। ଭୁବନେଶ୍ୱରରେ ୧୯୫୮ ସେପ୍ଟେମ୍ବର ୯ରେ (୨୪ ଘଣ୍ଟାରେ) ୧୬୩ ମିମି ବର୍ଷା ହୋଇଥିବା ବେଳେ ୨୦୧୪ ସେପ୍ଟେମ୍ବର ପହିଲାରେ ୧୧୬ ଏବଂ ୨୦୧୯ ସେପ୍ଟେମ୍ବର ୨୫ରେ ୧୨୬ ମିମି ବର୍ଷା ରେକର୍ଡ ହୋଇଥିଲା।

Leave A Reply

Your email address will not be published.